ଭୁବନେଶ୍ୱର,୮।୧(ବ୍ୟୁରୋ): ଆଇଆଇଟି ସମେତ ଦେଶର ପ୍ରମୁଖ ବେଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ସର୍ବଭାରତୀୟସ୍ତରୀୟ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଆସନ୍ତା ଜୁଲାଇ ୩ରେ ଅନୁଷ୍ଠିତ ହେବ। ଚଳିତବର୍ଷ ଆଇଆଇଟି ଖଡ଼ଗପୁର ଏହି ପରୀକ୍ଷା ଆୟୋଜନ କରିବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଗୁରୁବାର ଏକ ଲାଇଭ୍ ଇଣ୍ଟରାକ୍ସନ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି। ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ଗତବର୍ଷଭଳି ଏଥର ମଧ୍ୟ ଦ୍ୱାଦଶ ଶ୍ରେଣୀରେ ୭୫ ପ୍ରତିଶତ ଯୋଗ୍ୟତା ମାନଦଣ୍ଡକୁ ହଟାଇ ଦିଆଯାଇଛି। ତେବେ ଛାତ୍ରୀଛାତ୍ରମାନେ ଦ୍ୱାଦଶ ବୋର୍ଡ ପରୀକ୍ଷା ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ ବୋଲି ସେ କହିଛନ୍ତି। ନିୟମ ଅନୁଯାୟୀ, ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଦେବାଲାଗି ଛାତ୍ରୀଛାତ୍ରମାନେ ସେହିବର୍ଷର ଜେଇଇ ମେନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ ରହିଥାଏ। ମାତ୍ର ଚଳିତବର୍ଷ କୋଭିଡ୍ ମହାମାରୀ ଯୋଗୁ ଏଥିରେ କୋହଳ କରାଯାଇଛି। ଯେଉଁ ଛାତ୍ରୀଛାତ୍ରମାନେ ୨୦୨୦ରେ ଜେଇଇ ମେନ୍ ଉତ୍ତୀର୍ଣ୍ଣ ହୋଇଥିବେ ସେମାନେ ଜେଇଇ ଆଡ୍ଭାନ୍ସଡ୍ ୨୦୨୧ ଦେଇପାରିବେ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ଦେଶର ଶୀର୍ଷ ତଥା ମହତ୍ୱପୂର୍ଣ୍ଣ ପରୀକ୍ଷା। ମାତ୍ର ୬ ମାସ ସମୟ ଥିବାରୁ ଛାତ୍ରୀଛାତ୍ର ପରୀକ୍ଷା ଲାଗି ଭଲ ଭାବେ ପ୍ରସ୍ତୁତ ହୋଇପାରିବେ ବୋଲି ସେ କହିଛନ୍ତି।