ଜେଇଇ ମେନ୍‌ ଆରମ୍ଭ

ଭୁବନେଶ୍ୱର, ୨।୯(ବ୍ୟୁରୋ)- କରୋନା କଟକଣା ମଧ୍ୟରେ ମଙ୍ଗଳବାରଠାରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍‌ ଆରମ୍ଭ ହୋଇଛି। ଦେଶରେ ୯ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେଉଥିବାବେଳେ ଓଡ଼ିଶାର ୭ ସହରରେ ହୋଇଥିବା ୨୬ଟି ପରୀକ୍ଷା କେନ୍ଦ୍ରରେ ୩୮ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି। ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୧୨ଟାରେ ଶେଷ ହୋଇଥିଲା। ଦ୍ୱିତୀୟ ସିଟିଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ନିୟମାନୁସାରେ ପରୀକ୍ଷା ଆରମ୍ଭର ଦୁଇଘଣ୍ଟା ପୂର୍ବରୁ ଛାତ୍ରୀଛାତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ଥିଲେ। ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବା ପୂର୍ବରୁ ଛାତ୍ରୀଛାତ୍ରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଥିଲା। ଉଭୟ ସେଣ୍ଟର ବାହାରେ ଓ ଭିତରେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିଲା।
ସେପଟେ ଏହିଭଳି ପରିସ୍ଥିତିରେ ପରୀକ୍ଷା ଦେଇପାରିଥିବାରୁ ଛାତ୍ରୀଛାତ୍ରମାନେ ଖୁସିବ୍ୟକ୍ତ କରିବା ସହ ନୂଆ ଅନୁଭୂତି ସାଉଣ୍ଟିଛନ୍ତି। ପ୍ରଥମଥର ପାଇଁ ସେମାନେ ମାସ୍କ ପିନ୍ଧି, ସାନିଟାଇଜର ବ୍ୟବହାର କରିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖି ପରୀକ୍ଷା ଦେଇଛନ୍ତି। ପରୀକ୍ଷା ସୁପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ବ୍ୟବସ୍ଥାକୁ ମଧ୍ୟ ଛାତ୍ରୀଛାତ୍ର ପ୍ରଶଂସା କରିଛନ୍ତି। ତେବେ ପରୀକ୍ଷା ପୂର୍ବରୁ ଯେପରି ଚିନ୍ତା ଥିଲା, ତାହା ଏବେ ଦୂର ହୋଇଯାଇଛି ବୋଲି ଅଧିକାଂଶ ଛାତ୍ରଛାତ୍ର କହିଛନ୍ତି। କରୋନା ମହାମାରୀ ଯୋଗୁ ଦୁଇଥର ପରୀକ୍ଷା ସ୍ଥଗିତ କରାଯାଇଥିଲା। ତେବେ ଶେଷରେ ପୂରା ନିୟମାବଳୀ ପାଳନ କରି ମଙ୍ଗଳବାରଠାରୁ ସାରା ଦେଶରେ ପରୀକ୍ଷା ଆରମ୍ଭ ହୋଇଛି। ଓଡ଼ିଶାରେ ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ଢେଙ୍କାନାଳ ସହରରେ ପରୀକ୍ଷା ହେଉଛି। ଭୁବନେଶ୍ୱରରେ ୬ଟି ପରୀକ୍ଷା କେନ୍ଦ୍ର ଥିବାବେଳେ କଟକରେ ୪ଟି, ବାଲେଶ୍ୱର ୫, ବ୍ରହ୍ମପୁର ୪, ସମ୍ବଲପୁର ୪, ଢେଙ୍କାନାଳ ୨, ରାଉରକେଲାରେ ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଛି। ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ରହଣି ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଏହି ପରୀକ୍ଷା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ।

Share