କେନ୍ଦୁଝର,୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଜଗମୋହନପୁର ଅଞ୍ଚଳରୁ ନୟାକୋଟ ଥାନା ଅଧୀନ ବାଂଶପାଳ ସାପ୍ତାହିକ ହାଟକୁ ଗୁରୁବାର ଯାତ୍ରୀ ନେଇ ଯାଉଥିବା ଏକ ସବାରୀ ଜିପ(ଓଆର୍-୦୯ଏଲ୍/୬୨୩୩) ଗୁଣ୍ଡୁଳା ଘାଟିରେ ଓଲଟି ପଡିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଥିବା ଜଣାପଡିଛି।
ମୃତକ ହେଲେ ବରା ପରିହାଳ(୫୦)। ତାଙ୍କ ଘର ଟଣ ଗ୍ରାମରେ। ଗୁରୁବାର ପୂର୍ବାହ୍ନରେ ଯାତ୍ରୀ ନେଇ ଏହି ସବାରୀ ଗାଡିଟି ବାଂଶପାଳ ବାହାରିଥିଲା । କାଞ୍ଜିପାଣି ଥାନା ଅନ୍ତର୍ଗତ ସାନହୁଣ୍ଡୁଳା ଗ୍ରାମ ନିକଟ ଉକ୍ତ ଘାଟିରେ ଚଢୁଥିବା ବେଳେ ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସି ପଡିଥିଲା। ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ପ୍ରଥମେ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଜଗମୋହନ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଆହତମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଏନେଇ ପୋଲିସ ଏକ ମାମଲା (ନଂ.୧୧/୨୦୨) ରୁଜୁ କରି ତଦନ୍ତ ଜାରି ରଖିଛି। ଏନେଇ କାଞ୍ଜିପାଣି ଥାନା ଅଧିକାରୀ ବିକ୍ରମ କୁମାର ଭୂୟାଁ କହିଛନ୍ତି ଆହତମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।