ହର ହର ଶମ୍ଭୁ ପରେ ଜିତୁ ଶର୍ମାଙ୍କ ‘ମେରେ ରାଜା ମେରେ ରାମ ଗୀତ’ ହେଉଛି ଭାଇରାଲ

କେନ୍ଦୁଝର,୨୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରଭୁ ରାମଙ୍କ ଉପରେ ଆଧାରିତ ଜିତୁ ଶର୍ମା ଗାଇଥିବା ଗୀତ ‘ମେରେ ରାଜା ମେରେ ରାମ, ମେରା ଦେଶ ମେରି ଜାନ, ମେରେ ଶିବ ହେ ମେରେ ପ୍ରାଣ, ମେରା ଭାରତ ମେରି ସାନ…’ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଇନ୍‌ଷ୍ଟାଗ୍ରାମରେ ଏହା ସର୍ବ ଭାରତୀୟସ୍ତରରେ ୮ନମ୍ବରରେ ରହିଥିବା ବେଳେ ରବିବାର ଏହା ୪ନମ୍ବରରେ ପହଞ୍ଚିଛି। ଏହାର ଟ୍ରାକ୍‌ ଗତ ମାର୍ଚ୍ଚ ୧୬ ତାରିଖରେ ରିଲିଜ ହୋଇଥିଲା ା ସେତିକିବେଳେ ସେଭଳି ଶ୍ରୋତାଙ୍କ ମଧ୍ୟରେ ସଫଳତା ପାଇପାରି ନ ଥିଲା। ବର୍ତ୍ତମାନ ଏହା ଶ୍ରୋତାଙ୍କ ମନରେ ଛାଇଯାଇଛି।

ଭଗବାନ ଶିବଙ୍କ ଉପରେ ଆଧାରିତ ଗୀତ ‘ହର ହର ଶମ୍ଭୁ ଶିବ ମହାଦେବ’ ଟ୍ରାକ୍‌ ସଂଗୀତ ପରିବେଷଣ ଓ ଗୀତ ଗାଇ ରାତାରାତି ଦେଶ ଓ ବିଦେଶରେ ପ୍ରସିଦ୍ଧି ଲାଭ କରିଥିବା ଜିତୁ ଶର୍ମାଙ୍କ ଏହି ଗୀତ ଏବେ ଧୂମ୍‌ ମଚାଇଛି। ଏହି ସଫଳତା ପାଇଁ ପ୍ରଭୁ ରାମ ଏବଂ ଗୁରୁ ଆକାଶ ଦେଓ ଏବଂ ପରିବାର ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି ଜିତୁ।

ଆସନ୍ତା ମାସ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିର ଉଦ୍‌ଘାଟନ ଏବଂ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନା ହେବାକୁ ଥିବା ବେଳେ ସମଗ୍ର ଦେଶ ଏବେ ରାମମୟ ହୋଇପଡିଛି ା ଏଣୁ ବିଶେଷ କରି ରାମଭକ୍ତଙ୍କ ମଧ୍ୟରେ ଏହି ରିଲ୍‌ଟି ବେଶ୍‌ ଆଦୃତ ହେଉଛି। ଏଭଳି ସମୟରେ ଏହି ଗୀତ ଅଧିକ ଭାଇରାଲ ହୋଇ ଏକ ନୂତନ ରେକର୍ଡ ସୃଷ୍ଟି କରିବ ବୋଲି ଜିତୁ ଆଶା ରଖିଛନ୍ତି। ଏହି ଗୀତ ଅଯୋଧ୍ୟା ହନୁମାନ ଗଡି ମନ୍ଦିର ଉପରେ ଶୁଟିଂ ହୋଇଛି। ଏହି ରିଲ ଇନ୍‌ଷ୍ଟାଗ୍ରାମରେ ୧୫ ହଜାରରୁ ଅଧିକ ରିଲ୍‌ ପ୍ରସାରିତ ହୋଇ ସାରିଛି ଏବଂ ଏହି ଟ୍ରାକ୍‌କୁ ୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ବୋଲି ଜିତୁ କହିଛନ୍ତି। ପ୍ରତି ଏକ ଘଣ୍ଟାରେ ୧୦୦ ରିଲ୍‌ ବୃଦ୍ଧି ପାଉଥିବାରୁ ଏହି ସଂଖ୍ୟା ଆଗାମୀ ଦିନରେ ଏକ ନୂଆ ରେକର୍ଡ ସୃଷ୍ଟି କରିବା ଆଶା କରାଯାଉଛି। ଏହି ରିଲ ମଧ୍ୟ ୟୁଟ୍ୟୁବ ଓ ଅନ୍ୟ ସୋସିଆଲ ମଧ୍ୟ ଧମାକା ମଚାଇଛି।

Share