ନିଆଁରେ ଜଳିଯାଇଥିବା ମାଉଇକୁ ୧୦ କୋଟି ଡଲାର ଦାନ କରିବେ ବେଜୋସ ଆଉ ତାଙ୍କ ପ୍ରେମିକା

ଓ୍ବାଶିଂଟନ,୧୪।୮: ବିଶ୍ୱର ତୃତୀୟ ଧନି ବିଜନେସମ୍ୟାନ ଜେଫ ବେଜୋସ ଓ ତାଙ୍କ ପ୍ରେମିକା ଲରିନ ସାଂଚେଜ ନିଆଁରେ ଧ୍ୱଂସ ହୋଇଯାଇଥିବା ମାଉଇ କାଉଣ୍ଟି ପାଇଁ ୧୦ କୋଟି ଡଲାର(ପ୍ରାୟ ୮୩୦କୋଟଇ ଟଙ୍କା) ଦାନ ଦେବାକୁ ଘୋଷଣା କରିଛନ୍ତି। ଏହି ଦାନରାଶି ମାଉଇର ପୁନଃନିର୍ମାଣରେ ଖର୍ଚ୍ଚ ହେବ। ଅତୀତରେ ଆମେରିକାର ହାୱାଇ ଦ୍ୱୀପର ମାଉଇ କାଉଣ୍ଟିରେ ନିଆଁ ଲାଗିଥିଲା, ଯେଉଁ କାରଣରୁ ସମଗ୍ର ଅଞ୍ଚଳ ନଷ୍ଟ ହୋଇଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ୯୦ଜଣଙ୍କ ମୃତ୍ୟୁ ହୋଇଥିଲା।
ଜେଫ ବେଜୋସଙ୍କ ପ୍ରେମିକା ଲରେନ ସାଞ୍ଚେଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ମାଉଇରେ ହୋଇଥିବା ବିନାଶରେ ଜେଫ ଏବଂ ମୁଁ ଦୁଃଖିତ। ଆମେ ସେହି ପରିବାରଙ୍କ କଥା ଚିନ୍ତା କରୁଛୁ ଯେଉଁମାନେ ସେମାନଙ୍କ ପରିବାରକୁ ହରାଇଛନ୍ତି। ସେଠାରେ ପୁନଃ ନିର୍ମାଣ ସହିତ ତୁରନ୍ତ ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଜେଫ ଏବଂ ମୁଁ ଏକ ମାଉଇ ପାଣ୍ଠି ସ୍ଥାପନ କରୁଛୁ, ଯାହା ଅଧୀନରେ ମାଉଇଙ୍କ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ୧୦୦ ମିଲିୟନ ଡଲାର୍‌ ଖର୍ଚ୍ଚ ହେବ। ଏହି ସାହାଯ୍ୟରେ ମାଉଇ ତା’ ପାଦରେ ଠିଆ ହେବାକୁ ସମର୍ଥ ହେବ। ସୂଚନାଯୋଗ୍ୟ, ଲରେନ ସାଞ୍ଚେଜ ବେଜୋସ ଆର୍ଥ ଫଣ୍ଡର ଉପାଧ୍ୟକ୍ଷ ଅଟନ୍ତି।
ସୂଚନାଯୋଗ୍ୟ, ଅମେଜନର ଏଗ୍ଜିକ୍ୟୁଟିଭ ଚେୟାରମ୍ୟାନ ଜେଫ ବେଜୋସଙ୍କର ବି ମାଉଇ କାଉଣ୍ଟିରେ ୧୪ ଏକର ଜାଗାରେ ଏକ ସୁନ୍ଦର ଘର ରହିଛି। ଏହି ଅଗ୍ନିକାଣ୍ଡ ପରେ ଆହୁରି କେତେଜଣ ସେଲିବ୍ରିଟି ସହଯୋଗର ହାତ ବଢାଇଛନ୍ତି।
ସୂଚନା ଅନୁଯାୟୀ, ଆମେରିକାର ଇତିହାସର ଗତ ୧୦୦ବର୍ଷ ମଧ୍ୟରେ ଅଗଷ୍ଟ ୮ରେ ମାଉଇ ନିଆଁ ଦ୍ୱିତୀୟ ବୃହତ୍ତମ ପ୍ରାକୃତିକ ବିପର୍ଯ୍ୟୟ। ଏହାପୂର୍ବରୁ ନଭେମ୍ବର ୨୦୧୮ରେ କାଲିଫର୍ନିଆର କ୍ୟାମ୍ପ ଫାୟାରରେ ବିପଜ୍ଜନକ ଅଗ୍ନିକାଣ୍ଡ ଘଟିଥିଲା। ପରିବେଶ ବିଶେଷଜ୍ଞମାନେ ବଶ୍ୱାସ କରନ୍ତି ଯେ ଜଳବାୟୁ ପରିବର୍ତ୍ତନ ହେତୁ ପ୍ରାକୃତିକ ବିପର୍ଯ୍ୟୟ ଘଟଣା ସାଧାରଣ ହେବାରେ ଲାଗିଛି।

Share