Categories: ଜାତୀୟ

ଦିଲ୍ଲୀରେ ବଡ଼ ଧରଣର ଆକ୍ରମଣ ଯୋଜନାରେ ଥିଲେ ଆତଙ୍କବାଦୀ, ବିହାରରୁ କିଣାଯାଉଥିଲା ଅସ୍ତ୍ରଶସ୍ତ୍ର

ଜମ୍ମୁ, ୧୫।୨ : : ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କ କାର୍ଯ୍ୟାଳୟର ଭିଡିଓ କରିଥିବା ଆତଙ୍କବାଦୀ ଗିରଫ ହେବା ପରେ ଦେଶ ଉପରୁ ଟଳି ଯାଇଛି ବଡ଼ ବିପଦ। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ (ଜେଇଏମ୍‌) ଦିଲ୍ଲୀରେ ଆକ୍ରମଣ କରିବାର ଯୋଜନାରେ ଥିଲା। ଏହା ରବିବାର ସ୍ପଷ୍ଟ କରିଛନ୍ତି ଜମ୍ମୁ-କଶ୍ମୀର ପୋଲିସ ମୁଖ୍ୟ ଦିଲବାଗ ସିଂ।

ଆକ୍ରମଣ ପାଇଁ ଆରମ୍ଭ ହୋଇସାରିଥିଲା ଅସ୍ତ୍ରଶସ୍ତ୍ର କିଣିବା ପ୍ରକ୍ରିୟା। ଏଥିରେ ନିଯୁକ୍ତ କରାଯାଇଥିଲା ପଞ୍ଜାବରେ ପଢ଼ୁଥିବା କଶ୍ମୀର ଛାତ୍ରୀଛାତ୍ରଙ୍କୁ। ସେମାନଙ୍କୁ ବିହାରରୁ ବେଆଇନ ଅସ୍ତ୍ରଶସ୍ତ୍ର ଆଣି କଶ୍ମୀରରେ ପହଞ୍ଚାଇବାକୁ ଦିଆଯାଇଥିଲା ଦାୟିତ୍ୱ। ଲସ୍କର-ଇ-ମୁସ୍ତଫା (ଏଲ୍‌ଇଏମ୍‌) ଓ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ୍‌) ମୁଖ୍ୟ ଯଥାକ୍ରମେ ହିଦାୟାତୁଲା ମଲିକ ଓ ଜହୁର ଅହମ୍ମଦ ରାଥରଙ୍କ କମାଣ୍ଡରେ ଏହି ଆକ୍ରମଣର ଯୋଜନା କରାଯାଇଥିବା ଜମ୍ମୁ-କଶ୍ମୀର ଡିଜିପି ଖବରଦାତା ସମ୍ମିଳନୀରେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଜମ୍ମୁ ବସଷ୍ଟାଣ୍ଡରୁ ୭ କିଲୋ ଆରଡିଏକ୍ସ ଜବତ କରାଯାଇଛି।

Share