Categories: ଖେଳ

ଯୌନ ଶୋଷଣ ଅଭିଯୋଗ ଆଣିଲେ ଜେନ୍ନି

ମାଡ୍ରିଡ୍‌, ୭ା୯(ପି.ଟି.): ଫିଫା ମହିଳା ବିଶ୍ୱକପ ଚାମ୍ପିୟନ ସ୍ପେନ୍‌ ଦଳର ଷ୍ଟ୍ରାଇକର ଜେନ୍ନି ହର୍ମୋସୋ ଫୁଟବଲ ସଂଘ ମୁଖ୍ୟ ଲୁଇସ୍‌ ରୁବେଲ୍ସଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି। ସ୍ପେନ୍‌ ଦଳ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡକୁ ପରାସ୍ତ କରିବା ପରେ ରୁବେଲ୍ସ ଦଳର ଷ୍ଟ୍ରାଇକର ଜେନ୍ନି ହର୍ମୋସୋଙ୍କୁ ଓଠରେ କିସ୍‌ କରିଥିଲେ। ଏହି ମାମଲାକୁ ନେଇ ଫିଫା ପକ୍ଷରୁ ରୁବେଲ୍ସଙ୍କୁ ବାସନ୍ଦ ମଧ୍ୟ କରାଯାଇଛି।

ଆରମ୍ଭରୁ ଜେନ୍ନି ହର୍ମୋସୋ ଏହି ଘଟଣାକୁ ନେଇ ରୁବେଲ୍ସଙ୍କ ସମର୍ଥନ କରିଥିବା ବେଳେ ବୁଧବାର ନିଜର ମତ ପରିବର୍ତ୍ତନ କରିଛନ୍ତି। ବୁଧବାର ଜେନ୍ନି ସ୍ପେନ୍‌ର ପ୍ରସିକ୍ୟୁଟରଙ୍କ ନିକଟରେ ଯୌନ ଶୋଷଣର ଅଭିଯୋଗ କରିବା ସହିତ ମତ ପରିବର୍ତ୍ତନ କରିବା ପାଇଁ ସ୍ପେନ୍‌ ଫୁଟବଲ ଫେଡେରେଶନ୍‌ ପକ୍ଷରୁ ତାଙ୍କ ଉପରେ ଚାପ ପକା ଯାଇଥିଲା ବୋଲି କହିଛନ୍ତି।

ପୂର୍ବରୁ ରୁବେଲ୍ସ ଏହି ଚୁମ୍ବନ ନେଇ ଉଭୟଙ୍କ ସହମତି ରହିଥିବା କହିଥିବା ବେଳେ ବୁଧବାର ଜେନି ଏହାକୁ ଖଣ୍ଡନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ବିବାଦ ଦେଖା ଦେବା ସ୍ପେନ୍‌ ଫୁଟବଲ ମହାସଂଘ ପକ୍ଷରୁ ଜାରି କରାଯାଇଥିବା ମନ୍ତବ୍ୟ ଅନୁସାରେ ହର୍ମେସୋ ଏହାକୁ ସଠିକ୍‌ ଦର୍ଶାଇଥିଲେ। ବିଜୟର ଖୁସିରେ ଆମେ ଏଭଳି କରିଥିବା ବେଳେ ଏଥିରେ ଉଭୟଙ୍କ ସହମତି ରହିଥିଲା। ସଭାପତିଙ୍କ ସହିତ ମୋର ସମ୍ପର୍କ ଅତ୍ୟନ୍ତ ଭଲ ରହିଥିବା ସେ କହିଥିବା ନେଇ ବକ୍ତବ୍ୟ ଜାରି କରାଯାଇଥିଲା। ଅଭିଯୋଗ ଦାଖଲ ପରେ ଅସନ୍ତା ସପ୍ତାହରେ ବୟାନ ରେକର୍ଡ କରାଯିବ ବୋଲି କୁହାଯାଇଛି।

ଏହି ଘଟଣା ପରେ ସ୍ପେନ୍‌ ସରକାର, ଖେଳାଳିଙ୍କ ସଂଘ ଓ ଅନେକ ସାଧାରଣ ନାଗରିକ ଜେନ୍ନି ହର୍ମୋସୋଙ୍କୁ ସମର୍ଥନ କରିଥିଲେ। ଅଗଷ୍ଟ ୨୭ ତାରିଖରେ ଫିଫା ପକ୍ଷରୁ ରୁବେଲ୍ସଙ୍କୁ ବାସନ୍ଦ କରାଯାଇଥିବା ବେଳେ ସେ ବର୍ତ୍ତମାନ ୟୁଏଫାର ଉପ ସଭାପତି ରହିଛନ୍ତି। ୩୩ ବର୍ଷୀୟ ଫରଓ୍ବାର୍ଡ ଖେଳାଳି ଜେନ୍ନି ବର୍ତ୍ତମାନ ମେକ୍ସିକାନ କ୍ଲବ ପାଚୁଆ ପକ୍ଷରୁ ଖେଳୁଛନ୍ତି।

ଏହା ପୂର୍ବରୁ ସେ ବାର୍ସେଲୋନା, ପ୍ୟାରିସ୍‌ ସେଣ୍ଟ ଜର୍ମେନ୍‌ ଓ ଆଟଲେଟିକୋ ମାଡ୍ରିଡ୍‌ ପାଇଁ ସେ ଖେଳି ସାରିଛନ୍ତି। ବିଶ୍ୱକପ ବିଜୟୀ ସ୍ପେନ୍‌ ଦଳର ମୁଖ୍ୟ କୋଚ୍‌ ରହିଥିବା ଜର୍ଜ ଭିଲ୍ଡାଙ୍କ ନାମରେ ମଧ୍ୟ ଏକ ବର୍ଷ ପୂର୍ବରୁ ୧୫ ଜଣ ଖେଳାଳି ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଆଲେକ୍ସିସ୍‌ ପୁଟେଲାସଙ୍କ ସହିତ ଜେନି ହର୍ମୋସୋ ମଧ୍ୟ ଏହି ଖେଳାଳିଙ୍କ ମଧ୍ୟରେ ସାମିଲ ଥିଲେ।

Share