ଜେରେମି ହଣ୍ଟ୍‌ ନୂଆ ଅର୍ଥମନ୍ତ୍ରୀ

ଲଣ୍ଡନ,୧୫।୧୦: ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ତାଙ୍କ ଅର୍ଥମନ୍ତ୍ରୀ କ୍ୱାସି କ୍ୱାର୍ଟେଙ୍ଗ୍‌ଙ୍କୁ ଶୁକ୍ରବାର ବହିଷ୍କାର କରିଛନ୍ତି। ତାଙ୍କ ସ୍ଥାନରେ ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ଜେରେମି ହଣ୍ଟଙ୍କୁ ଦେଶର ନୂଆ ଅର୍ଥମନ୍ତ୍ରୀ କରାଯାଇଛି। ପୂର୍ବତନ ଅର୍ଥମନ୍ତ୍ରୀ କ୍ୱାର୍ଟେଙ୍ଗ୍‌ଙ୍କ ଟିକସ ହ୍ରାସ ନିଷ୍ପତ୍ତିକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ବୈଠକରେ ଯୋଗଦେବା ଲାଗି ଓ୍ବାଶିଂଟନରେ ଥିବା କ୍ୱାର୍ଟେଙ୍ଗ୍‌ଙ୍କୁ ତୁରନ୍ତ ଲଣ୍ଡନ ଡକାଯାଇଥିଲା। ମାତ୍ର ୩୭ ଦିନ ହେଲା ଅର୍ଥମନ୍ତ୍ରୀ ପଦରେ ଥିବା କ୍ୱାର୍ଟେଙ୍ଗଙ୍କୁ ବିଦା କରାଯାଇଥିବାରୁ ୧୯୭୦ ପରେ ସେ ବ୍ରିଟେନରେ ସବୁଠୁ କମ୍‌ ଦିନ ରହିଥିବା ଅର୍ଥମନ୍ତ୍ରୀ ବୋଲି କୁହାଯାଉଛି। ସେପ୍ଟେମ୍ବର ୨୩ରେ ଅର୍ଥମନ୍ତ୍ରୀ କ୍ୱାର୍ଟେଙ୍ଗ ନୂଆ ଆର୍ଥତ୍କ ନୀତି ଘୋଷଣା କରିଥିଲେ। ବ୍ରିଟିଶ ଅର୍ଥନୀତିର ଅଭିବୃଦ୍ଧିକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଟ୍ରସ୍‌ଙ୍କ ଟିକସ ହ୍ରାସ୍‌ ଏବଂ ଡିରେଗୁଲେଶନ ଦୂରଦୃଷ୍ଟି ସମ୍ପର୍କରେ ସେ ଅବଗତ କରାଇଥିଲେ। ତେବେ ଏହାର ପ୍ରତିକୂଳ ପ୍ରଭାବ ଶେୟାର ବଜାର ଉପରେ ପଡ଼ିଥିଲା। ପେନ୍‌ସନ ପାଣ୍ଠିର ସୁରକ୍ଷା ପାଇଁ ବ୍ୟାଙ୍କ ଅଫ୍‌ ଇଂଲଣ୍ଡକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ନୂଆ ଆର୍ଥିକ ନୀତି ଯୋଗୁ କଞ୍ଜରଭେଟିଭ୍‌ ପାର୍ଟି ପ୍ରତି ସମର୍ଥନ ହ୍ରାସ ପାଉଥିବାରୁ ଏହାକୁ ବଦଳାଇବା ପାଇଁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ଉପରେ ଜୋର୍‌ଦାର ଚାପ ପଡ଼ୁଥିଲା। ଏପରିକି ଟ୍ରସ୍‌ଙ୍କୁ ବଦଳାଇ ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ କରିବା ଲାଗି ମଧ୍ୟ ଦଳୀୟ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିଲା।

Share