Categories: ଖେଳ

ଜାତୀୟ କ୍ୟାମ୍ପରୁ ଜେରେମିଙ୍କୁ ବାହାର କରିଦିଆଗଲା

ନୂଆଦିଲ୍ଲୀ, ୮ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଜେରେମି ଲାଲ୍‌ରିନୁଙ୍ଗା ଜାତୀୟ କ୍ୟାମ୍ପରୁ ବାହାର କରିଦିଆଯାଇଛି। ଭାରତୀୟ ଭାରୋତ୍ତୋଳନ ମହାସଂଘ (ଆଇଡବ୍ଲ୍ୟୁଏଲ୍‌ଏଫ୍‌) ସଭାପତି ସହଦେବ ଯାଦବ ସୂଚନା ଦେଇଛନ୍ତି। ପିଠିରେ ଆଘାତପ୍ରାପ୍ତ ଏହି ଭାରୋତ୍ତୋଳକ ରିହାବିଲିଟେଶନ ପାଇଁ ଆମେରିକା ଯିବା ପାଇଁ ମନା କରିଦେଇଥିଲେ। ଏସିଆନ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଟ୍ରାଏଲ୍ସରେ ମଧ୍ୟ ସେ ଭାଗ ନେଇ ନ ଥିଲେ। ଯାଦବ ଖବରଦାତାମାନଙ୍କୁ କହିଛନ୍ତି ଯେ, ଜେରେମି ଯେତେବେଳେ ଆଘାତପ୍ରାପ୍ତ ହେଲେ ଆମେ ତୁରନ୍ତ ତାଙ୍କୁ ରିହାବିଲିଟେଶନରେ ସେଣ୍ଟ ଲୁଇସ ଯିବା ଲାଗି କହିଥିଲୁ। ଜେରେମି କ୍ରୀଡ଼ା ମନ୍ତ୍ରଣାଳୟ ଟପ୍ସ ସ୍କିମ୍‌ ପରିସରଭୁକ୍ତ। କିନ୍ତୁ ସେ ଯିବା ପାଇଁ ମନା କରିଦେଇଥିଲେ। ସେ ଜଣେ ପ୍ରତିଭାସମ୍ପନ୍ନ ଭାରୋତ୍ତୋଳକ, ହେଲେ ବିଶ୍ୱ ଚାମ୍ପିୟନଶିପ୍‌ ଓ ଏସିଆନ ଗେମ୍ସ ପାଇଁ ଟ୍ରାଏଲ୍ସରେ ଭାଗ ନେବାଲାଗି ସେ ଆସି ନ ଥିଲେ। ତେଣୁ ଆମେ ତାଙ୍କୁ ଆର୍ମି ସ୍ପୋଟର୍‌ସ ଇନ୍‌ଷ୍ଟିଚ୍ୟୁଟ୍‌କୁ ଫେରିଯାଇ ଫିଟ୍‌ ହେବା ପରେ ଫେରିବା ଲାଗି କହିଥିଲୁ। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ପାଇବା ପରଠାରୁ ସେ ଆଘାତପ୍ରାପ୍ତ ଅଛନ୍ତି। ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। ଯାଦବ କହିଛନ୍ତି ଭାରତ ଏସିଆନ ଗେମ୍ସ ପାଇଁ ୪ ଜଣିଆ ଦଳ ପଠାଇବ। ଏଥିରେ ମୀରାବାଇ ଚାନୁ (୪୯କେଜି), ବିନ୍ଦ୍ୟାରାଣୀ ଦେବୀ (୫୫କେଜି), ଏନ. ଅଜିତ କୁମାର (୭୩କେଜି) ଓ ଅଚିନ୍ତ ଶିଉଳି (୭୩କେଜି) ପ୍ରମୁଖ ସ୍ଥାନ ପାଇଛନ୍ତି।

Share