Categories: ଖେଳ

ଜମ୍ମୁ କଶ୍ମୀରକୁ ଗର୍ବିତ କଲେ ଜେସିଆ ଅଖତର

ନୂଆଦିଲ୍ଲୀ,୧୫।୨: ଜମ୍ମୁ କଶ୍ମୀରର ଏକାଧିକ ପୁରୁଷ କ୍ରିକେଟର ଆଇପିଏଲ ତଥା ଜାତୀୟ ଦଳ ପାଇଁ ଖେଳି ସୁନାମ ଅର୍ଜନ କରିଥିବା ବେଳେ ପ୍ରଥମ ଥର ପାଇଁ ମହିଳା କ୍ରିକେଟର ମାନଚିତ୍ରରେ ଜମ୍ମୁ କାଶ୍ମୀରକୁ ସ୍ଥାନ ଦେଇଛନ୍ତି ଜେସିଆ ଅଖତର। ସୋମବାର ଓମେନ୍ସ ପ୍ରିମିୟର ଲିଗ୍‌ର ପ୍ରଥମ ସଂସ୍କରଣ ନିଲାମିରେ ସୋପିଆଁ ଜିଲ୍ଲାର ଜେସିଆ ଅଖତରଙ୍କୁ କିଣିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ସୋପିଆଁର ପ୍ରଥମ ମହିଳା ଖେଳାଳି ଭାବରେ ଓମେନ୍ସ ପ୍ରିମିୟର ଲିଗ୍‌ ଖେଳିବାକୁ ମନୋନୀତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ସବର ମାହୋଲ ଖେଳି ଯାଇଥିଲା। ୩୪ ବର୍ଷୀୟା ଟପ୍‌ ଅର୍ଡର ବ୍ୟାଟର ଅଖତରଙ୍କ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ରହିଥିବା ବେଳେ ସମାନ ମୂଲ୍ୟରେ କିଣିଥିଲା ଫ୍ରାଞ୍ଚାଇଜି। ୫ ଭାଇ ଭଉଣୀଙ୍କ ମଧ୍ୟରେ ଜେସିଆଙ୍କ ନମ୍ବର ଦୁଇ। ଛୋଟ ବେଳରୁ କ୍ରିକେଟ ପ୍ରତି ଅହେତୁକ ଦୁର୍ବଳତା ରହିଥିଲା। ଅନ୍ୟମାନେ ପାଠ ପଢୁଥିବା ବେଳେ ଜେସିଆ ଖେଳରେ ମନୋନିବେଶ କରୁଥିଲେ। ଜମ୍ମୁ କାଶ୍ମୀରରେ ଉପଯୁକ୍ତ ସୁବିଧା ଅଭାବାରୁ ସେ ରାଜସ୍ଥାନ ଦଳର ପ୍ରତିନିଧିତ୍ୱ କରନ୍ତି। ପ୍ରଶାସନ ପକ୍ଷରୁ ଉପଯୁକ୍ତ ସୁବିଧା ମିଳିଲେ ଆହୁରି ଅନେକ ପରଭେଜ ରସୁଲ, ଅବଦୁଲ ସମଦ, ଉମ୍ରାନ ମଲିକ ଓ ଜେସିଆ ଅଖତର ସୃଷ୍ଟି ହୋଇ ପାରିବେ ବୋଲି ଜେସିଆଙ୍କ କୋଚ୍‌ ମୁର୍ତ୍ତୁଜା ବଶିର୍‌ କହିଛନ୍ତି। ଜେସିଆଙ୍କ ଦକ୍ଷତା ଉପରେ କ୍ୟାପିଟାଲ୍ସ ମ୍ୟାନେଜମେଣ୍ଟ ଭରସା ଦେଖାଇବା ଉଚିତ୍‌ ବୋଲି ବଶିର କହିଛନ୍ତି।

Share