Categories: ଜାତୀୟ

ଜେଟ୍‌ ଏୟାରଓ୍ବେଜ୍‌ ପ୍ରତିଷ୍ଠାତା ଗିରଫ

ମୁମ୍ବାଇ,୨।୯: ବ୍ୟାଙ୍କ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡରିଂ ମାମଲାରେ ଶୁକ୍ରବାର ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେଟ୍‌ ଏୟାରଓ୍ବେଜ୍‌ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗିରଫ କରିଛି। ନରେଶ କାନାରା ବ୍ୟାଙ୍କରୁ ନେଇଥିବା ଋଣରୁ ୫୩୮ କୋଟି ଟଙ୍କା ପରିଶୋଧ କରି ନ ଥିବା ଅଭିଯୋଗ ରହିଛି। ତାଙ୍କୁ ଇଡି ଅଧିକାରୀମାନେ ଏଜେନ୍ସି ମୁଖ୍ୟାଳୟରେ ଦୀର୍ଘ ସମୟ ଧରି ଜେରା ପରେ ମନି ଲଣ୍ଡରିଂ ନିବାରଣ ଆଇନ(ପିଏମ୍‌ଏଲ୍‌ଏ) ବଳରେ ଗିରଫ କରିଥିଲେ। ୭୪ ବର୍ଷୀୟ ନରେଶଙ୍କୁ ଶନିବାର ମୁମ୍ବାଇସ୍ଥିତ ଏକ ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟରେ ହାଜର କରାଇ ରିମାଣ୍ଡରେ ନେବା ପାଇଁ ଅନୁରୋଧ କରିବେ ବୋଲି ଜଣାପଡ଼ିଛି।
ଜେଟ୍‌ ଏୟାରଓ୍ବେଜ୍‌, ନରେଶ ତାଙ୍କ ସ୍ତ୍ରୀ ଅନୀତା ଗୋୟଲ ଏବଂ କମ୍ପାନୀର କେତେଜଣ ପୂର୍ବତନ କର୍ମଚାରୀ କାନାରା ବ୍ୟାଙ୍କରୁ ୫୩୮ କୋଟି ଟଙ୍କା ଠକେଇ କରିଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଏଫ୍‌ଆଇଆର୍‌ରେ ଦର୍ଶାଇବା ପରେ ଏହି ମନି ଲଣ୍ଡରିଂ ମାମଲା ସାମ୍ନାକୁ ଆସିଥିଲା। କାନାରା ବ୍ୟାଙ୍କ ଜେଟ୍‌ ଏୟାରଓ୍ବେଜ୍‌ ଇଣ୍ଡିଆ ଲିମିଟେଡ୍‌(ଜେଆଇଏଲ୍‌)କୁ ୮୪୮.୮୬ କୋଟି ଟଙ୍କାର ଋଣ ମଞ୍ଜୁର କରିଥିଲା। ତେବେ ନରେଶ ଓ ତାଙ୍କ ସହଯୋଗୀମାନେ ସେଥିରୁ ୫୩୮.୬୨ କୋଟି ଟଙ୍କା ନ ଶୁଝିବାରୁ ବ୍ୟାଙ୍କର ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଥିଲା। ୨୦୨୧ ଜୁଲାଇ ୨୯ରେ ଉକ୍ତ ଆକାଉଣ୍ଟକୁ ‘ଫ୍ରଡ୍‌’ ଘୋଷଣା କରାଯାଇଥିବା ସିବିଆଇ ପକ୍ଷରୁ କୁହାଯାଇଥିଲା। ବ୍ୟାଙ୍କର ଅଭିଯୋଗ ହେଉଛି, ଜେଆଇଏଲ୍‌ ଅର୍ଥ ଆତ୍ମସାତ୍‌ କରିବା ପରେ କମିଶନ ଖର୍ଚ୍ଚ ବାବଦକୁ ୧,୪୧୦.୪୧ କୋଟି ଟଙ୍କା କେତେକ କମ୍ପାନୀକୁ ପୈଠ କରିଥିବା ଏହାର ଫୋରେନ୍‌ସିକ୍‌ ଅଡିଟବେଳେ ଧରାପଡ଼ିଥିଲା।

Share