ନୂଆଦିଲ୍ଲୀ,୯।୫: ଦୀର୍ଘ ଦିନ ହେବ ଉଡ଼ାଣ ବନ୍ଦ କରିଥିବା ଅନ୍ତର୍ଜାତୀୟ ଏୟାରଲାଇନ୍ ସଂସ୍ଥା ‘ଜେଟ୍ ଏୟାର୍ଓ୍ବେଜ୍’ ପୁଣି ଥରେ ଉଡ଼ାଣ ଭରିବ। କମ୍ପାନୀ ପକ୍ଷରୁ ଏହାର ରି-ଲଞ୍ଚିଙ୍ଗ୍ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରବିବାର କେନ୍ଦ୍ର ଗୃହ ମନ୍ତ୍ରଳାଳୟ ପକ୍ଷରୁ ଏନେଇ ସିକ୍ୟୁରିଟି କ୍ଲିୟରାନ୍ସ ପ୍ରଦାନ କରାଯାଇଛି। ଫଳରେ ଜେଟ୍ ଏୟାର୍ଓ୍ବେଜ୍ ଆସନ୍ତା କିଛି ମାସ ମଧ୍ୟରେ ଫ୍ଲାଇଟ୍ ଅପରେଟ୍ କରିବାର ସମ୍ଭାବନା ଦେଖା ଦେଇଛି। ସୂଚନାଯୋଗ୍ୟ, କମ୍ପାନୀର ଦେବାଳିଆ ପରିସ୍ଥିତି କାରଣରୁ ୨୦୧୯ ଏପ୍ରିଲ୍ ୧୭ରୁ କମ୍ପାନୀର ଉଡ଼ାଣ ବନ୍ଦ କରିଦିଆଯାଇଥିଲା। ଏୟାର ଅପରେଟର ସାର୍ଟିଫିକେଟ୍ ଲାଭ ଉଦ୍ଦେଶ୍ୟରେ, ଦୀର୍ଘ ତିନି ବର୍ଷ ପରେ କମ୍ପାନୀ ମେ’ ୫ରେ ହାଇଦ୍ରାବାଦଠାରୁ ଟେଷ୍ଟିଙ୍ଗ୍ ଉଡାଣ ଆରମ୍ଭ କରିଥିଲା। ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଥିଲା। କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏୟାର ଅପରେଟର ପର୍ମିଟ୍ (ଏଓପି)ର ରି-ଭ୍ୟାଲିଡେସନ୍ ପ୍ରକ୍ରିୟାକୁ ମଞ୍ଜୁରୀ ଦିଆଯିବାର କିଛି ମାସ ପରେ ଏୟାରଲାଇନ୍ ପରିଚାଳନା ପୁଣିଥରେ ଆରମ୍ଭ ହେବ ବୋଲି ଆଶା ରଖିଥିବା କମ୍ପାନୀ ଜେଟ୍ ଏୟାର୍ଓ୍ବେଜ୍ର ସିଇଓ ସଞ୍ଜୀବ କପୁର ଏହା ପୂର୍ବରୁ ସୂଚନା ଦେଇଥିଲେ। ଜଲାନ-କାଲରକ୍ କନ୍ସୋର୍ଟିୟମ୍ ହେଉଛନ୍ତି ନରେଶ ଗୋୟଲଙ୍କ କମ୍ପାନୀର ନୂଆ ମାଲିକ।