ଅଳଙ୍କାର ଦୋକାନ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

ଧରାକୋଟ,୨୬ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ସୁନାମୋହି ଗ୍ରାମରେ ଗତ ଜୁଲାଇ ମାସରେ ରୁଦ୍ରସାଇ ଦୋକାନରୁ ସୁନା ଅଳଙ୍କାର ଲୁଟ୍‌ ହୋଇଥିଲା। ଏହି ଘଟଣାର ସୋମବାର ପର୍ଦ୍ଦାଫାଶ ହୋଇଛି। ଏଥିରେ ୫ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ମାଷ୍ଟର ମାଇଣ୍ଡ ସମେତ ଦୁଇରୁ ତିନିଜଣ ଅଭିଯୁକ୍ତ ଫେରାର ରହିଥିବା ଆସିକା ଏସ୍‌ଡିପିଓ ସଞ୍ଜୟ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି।
ଗିରଫ ଅଭିଯୁକ୍ତମାନେ ହେଲେ ଜରଡା ଥାନା ପାଟପୁର ଗ୍ରାମର ଚନ୍ଦ୍ରଶେଖର ବାଡ଼ତ୍ୟା, କୋରେଇ ଥାନା ପୂର୍ବକୋଟ ଗ୍ରାମର ଈଶ୍ବର ପ୍ରଧାନ, ଜେନାପୁର ଥାନା କବାଟବନ୍ଦ ଗ୍ରାମର  ସୂର୍ଯ୍ୟମଣି ସାହୁ, କଟକ ଲାଲବାଗ ଥାନା କାଜିବଜାର ଅଞ୍ଚଳର କାଜି ସାମୁଏଲ। ସେମାନଙ୍କଠାର ୫୮ ହଜାର ୩୮୦ ଟଙ୍କା ସମେତ ଗୋଟିଏ ସୁନା ମୋଦି, ଗୋଟିଏ ସୁନା ଚେନ, ଚାରୋଟି ସୁନା ବିସ୍କୁଟ,୧.୮ ଗ୍ରାମର ସୁନା,୨ କେଜି ରୁପା ସହ  ୬୦ ହଜାର, ୩୬, ୯୯୯ ଟଙ୍କା ଦାମ୍‌ର ସାମସଙ୍ଗ ମୋବାଇଲ, ୨୦ ହଜାର ଟଙ୍କା ଦାମ୍‌ର ଗୋଟିଏ ହାତଘଣ୍ଟା ପୋଲିସ ଜବତ କରିଛି। ଏ ନେଇ ଧରାକୋଟ ପୋଲିସ ନଂ. ୨୩୦/୨୪ରେ ମାମଲା ରୁଜୁ କରିଛି।
ଜୁଲାଇ ୧୩ ତାରିଖ ସୁନାମୋହି ଗାଁରେ  ରୁଦ୍ରସାଇ ଅଳଙ୍କାର ଦୋକାନରୁ ତିନି ଜଣ ବ୍ୟକ୍ତି ଦୋକାନ ମାଲିକ ଗୋପାଳ କୃଷ୍ଣ ଜେନାଙ୍କୁ ବନ୍ଧୁକ  ଦେଖାଇ ପ୍ରାୟ ତିନି କେଜି ସୁନା, ଆଠ କେଜି ରୁପା ଓ ନଗଦ ଦୁଇ ଲକ୍ଷ ଟଙ୍କା ଲୁଟି ନେଇଥିଲେ।
ଖବର ପାଇ ଧରାକୋଟ ପୋଲିସ, ଶେରଗଡ଼ ପୋଲିସ ଓ ଆସିକା ଉପଖଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ କରିଥିଲା।  ଲୁଟ୍‌ ପରେ ଲୁଟେରାମାନେ କ୍ଷିପ୍ରଗତିରେ ଯାଇଥିବା ବେଳେ ସୁନାମୋହିଠାରୁ ବାହାଡ଼ାଗୁଡା ରାସ୍ତାରେ ପଡିଥିବା  କିଛି ରୁପା ମୁଦିକୁ ଉଦ୍ଧାର କରିଥିଲା। ଦୋକାନ ମାଲିକ ଗୋପାଳ କୃଷ୍ଣ ଜେନା ଧରାକୋଟ ଥାନାରେ ଲୁଟ୍‌  ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଥିଲା। ଏଥିରେ କାର୍ଯ୍ୟରତ ଜଣେ ସିଆର୍‌ପିଏଫ୍‌  ଯବାନଙ୍କ ସମ୍ପୃକ୍ତି ରହିଥିବା ପୋଲିସ କହିଛି। ସମସ୍ତ ଅଭିଯୁକ୍ତଙ୍କ ନଁାରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି ।
Share