ଆଳଙ୍କାରିକ ପ୍ୟାକେଜ

ପୂର୍ବରୁ ଗଡ଼ି ଆସିଥିବା ଆର୍ଥିକ ବିଫଳତା ସହ କରୋନା ମହାମାରୀଜନିତ ସଙ୍କଟ ଭାରତୀୟ ଅର୍ଥନୀତିକୁ ଏକ ପ୍ରକାର ସ୍ଥାଣୁ କରିଦେଇଛି। ନିକଟରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ସଂକ୍ରାନ୍ତ ତଥ୍ୟ ଦେବା ବେଳେ ଭାରତରେ ଖାଉଟିଙ୍କ ଖର୍ଚ୍ଚ ଓ ଅର୍ଥନୀତିରେ ନିବେଶ କମିଯାଇଥିବା ଦର୍ଶାଇଥିଲା। ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଚଳିତବର୍ଷ ଅର୍ଥନୀତି ୯.୫ ପ୍ରତିଶତ ହ୍ରାସ ପାଇବ ବୋଲି କହିଛି। ୧୩ ଅକ୍ଟୋବରରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ମଧ୍ୟ ଆକଳନ କରିଛି ଯେ, ଚଳିତ ବର୍ଷ ଭାରତର ଅର୍ଥନୀତି ୧୦. ୩ ପ୍ରତିଶତ ଖସିବ। ଇତିମଧ୍ୟରେ ସବୁ ପ୍ରକାର ସାମଗ୍ରୀର ଦର ଆକାଶଛୁଆଁ ହୋଇଯାଇଛି। ଲୋକଙ୍କ ହାତରେ ଅର୍ଥ ନ ଥିବା ବେଳେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଖାଉଟିଙ୍କୁ ଅନେକ ବାଧିଲାଣି। ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୧୨ ଅକ୍ଟୋବରରେ ୭୩ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସୀତାରାମନ ଏହିଭଳି ଅନେକ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ବହୁବାର ଘୋଷଣା କରିସାରିଲେଣି। ତେବେ ୧୨ ଅକ୍ଟୋବରରେ ଘୋଷଣା କରାଯାଇଥିବା ପ୍ୟାକେଜର ସ୍ବରୂପକୁ ଦେଖିଲେ ବଜାରରେ ଖାଉଟି ଚାହିଦା ବୃଦ୍ଧି ସହ ଅର୍ଥନୀତିରେ ନିବେଶ କାର୍ଯ୍ୟ ବଢ଼ାଇବା ଲାଗି ସରକାର ଏପରି ପଦକ୍ଷେପ ନେଇଛନ୍ତି। ସେଥିପାଇଁ ସରକାରୀ କର୍ମଚାରୀଙ୍କ ହାତରେ ସର୍ତ୍ତମୂଳକ ଅର୍ଥ ଧରାଇବାକୁ ଚେଷ୍ଟା କରାଯାଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଭିତ୍ତିଭୂମି ଉନ୍ନତି ଲାଗି ହେବାକୁ ଥିବା ଖର୍ଚ୍ଚ ବୃଦ୍ଧି କଥା ଚିନ୍ତା କରାଯାଇଛି।
ଦୁଇଟି ଭାଗରେ ଘୋଷଣା କରାଯାଇଥିବା ପ୍ୟାକେଜକୁ ଲକ୍ଷ୍ୟ କରାଯାଉ। କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୂଜାଭେଟି ଭାବେ ସୁଧମୁକ୍ତ ୧୦ ହଜାର ଟଙ୍କା ଅଗ୍ରିମ ଅର୍ଥ ପ୍ରଦାନ ସୁବିଧା ଏବଂ ଭ୍ରମଣ କରିବା ପାଇଁ ଥିବା ଲିଭ୍‌ ଟ୍ରାଭେଲ କନ୍‌ସେସନ୍‌ (ଏଲ୍‌ଟିସି) ପରିବର୍ତ୍ତେ କ୍ୟାଶ୍‌ ଭାଉଚର ବ୍ୟବସ୍ଥା କରାଯାଇଛି। ଏଥିରେ ୧୦ ହଜାର ଟଙ୍କା ଲେଖାଏ ଅର୍ଥରାଶି କର୍ମଚାରୀଙ୍କ କାର୍ଡରେ ପ୍ରିପେଡ୍‌ ଭାବେ ଦିଆଯିବ, ଯାହା ସେମାନଙ୍କୁ ୨୦୨୧ ମାର୍ଚ୍ଚ ସୁଦ୍ଧା ଖର୍ଚ୍ଚ କରିବାକୁ ପଡ଼ିବ। ୧୦ଟି କିସ୍ତିରେ କର୍ମଚାରୀ ଏହାକୁ ସରକାରଙ୍କୁ ଶୁଝିବେ। ଏଲ୍‌ଟିସି ବଦଳରେ ଯେଉଁ କ୍ୟାଶ୍‌ ଭାଉଚର ଦିଆଯିବ, ସେଥିରେ କେନ୍ଦ୍ର କର୍ମଚାରୀମାନେ ଖାଦ୍ୟ ବର୍ଗରେ ନ ଥିବା ଜିଏସ୍‌ଟି ସୂଚୀଯୁକ୍ତ ସାମଗ୍ରୀ କିଣିପାରିବେ। ପୁଣି ୧୨ କିମ୍ବା ତା’ଠାରୁ ଅଧିକ ସ୍ଲାବର ଥିବା ଜିଏସ୍‌ଟି ସାମଗ୍ରୀ କିଣିବାକୁ ଏଥିରେ ସର୍ତ୍ତ ରଖାଯାଇଛି। ଅର୍ଥାତ୍‌ ଯଦି ସମ୍ପୃକ୍ତ କର୍ମଚାରୀଙ୍କ କୌଣସି ଔଷଧ କିମ୍ବା ଖାଦ୍ୟସାମଗ୍ରୀ କିଣିବାର ପ୍ରୟୋଜନ ରହିଥାଏ, ତାହାକୁ ସେ କିଣିପାରିବେ ନାହିଁ। ଅପରପକ୍ଷେ ସେହି ଅର୍ଥରେ ମୋବାଇଲ କିମ୍ବା ଟେଲିଭିଜନ ଭଳି ସାମଗ୍ରୀ କିଣିବେ। ଖାଉଟି ଖର୍ଚ୍ଚ ବଢ଼ାଇ ବଜାରକୁ ଚଳଚଞ୍ଚଳ କରିବା ଲାଗି ଏହି ଦୁଇ ପ୍ରକାର ଅର୍ଥକୁ ମିଶାଇଲେ ପରିମାଣ ୩୬ ହଜାର କୋଟି ଟଙ୍କା ରଖାଯାଇଛି। ଦେଖିବାକୁ ଗଲେ ଭାରତ ଭଳି ବୃହତ୍‌ ବଜାରକୁ ପ୍ରଭାବିତ କରିବାରେ ଏତିକି ମାତ୍ରାର ଅର୍ଥ ସମୁଦ୍ରକୁ ଶଙ୍ଖେ ଭଳି ଲାଗୁଛି। ପୁଣି ଖାଉଟି ଖର୍ଚ୍ଚ ବୃଦ୍ଧି ସରକାରଙ୍କ ସର୍ତ୍ତକୁ ମାନି କେତେ କର୍ମଚାରୀ ଯୋଜନାର ସୁବିଧା ନେବାକୁ ଆଗେଇ ଆସିବେ ତା’ ଉପରେ ନିର୍ଭର କରୁଛି। ଘୋଷଣା ହୋଇଥିବା ପ୍ୟାକେଜର ଦ୍ୱିତୀୟ ଭାଗକୁ ଦେଖିଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପରେ ଅର୍ଥ ବ୍ୟୟ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି। ରାଜ୍ୟଗୁଡ଼ିକୁ ୫୦ ବର୍ଷର ସୁଧମୁକ୍ତ ଋଣ ବାବଦରେ ୧୨ ହଜାର କୋଟି ଟଙ୍କା ଦିଆଯିବ। ସେହିଭଳି କେନ୍ଦ୍ର ସରକାର ୨୫ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିପାରିବେ। ଏହି ଦୁଇଟି ଅର୍ଥର ଅଙ୍କକୁ ମିଶାଇଲେ ପରିମାଣ ହେଉଛି ମାତ୍ର ୩୭,୦୦୦ କୋଟି ଟଙ୍କା। ଏଠାରେ ରାଜ୍ୟଗୁଡ଼ିକୁ ୫୦ ବର୍ଷର ସୁଧମୁକ୍ତ ଋଣ କଥା ଯାହା କୁହାଯାଇଛି, ସେତିକି ବର୍ଷକୁ ଏବର ପିଢ଼ି ସମେତ ଭାରତୀୟ ଜନତା ପାର୍ଟିର ନେତାମାନେ ଥିବେ କି ନାହିଁ, କେହି କହିପାରିବେ ନାହିଁ। ଏଥିସହିତ ୫୦ ବର୍ଷ ମଧ୍ୟରେ ଏହି ଅର୍ଥରେ ବଜାର ମୂଲ୍ୟ କେତେ ଥିବ, ତାହା ମଧ୍ୟ କହିବା କଷ୍ଟକର। ପୁଣି ୧୨ ହଜାର କୋଟି ଟଙ୍କା ରାଜ୍ୟଗୁଡ଼ିକର କେଉଁ ଭିତ୍ତିଭୂମି ଓ ପ୍ରକଳ୍ପ ଲକ୍ଷ୍ୟ ପୂରଣ କରିବ ବୁଝିବା ମୁସ୍କିଲ। ଏଥିସହିତ ୫୦ ବର୍ଷ ମଧ୍ୟରେ ଏହି ଅର୍ଥର ବଜାର ମୂଲ୍ୟ କେତେ ଥିବ ତାହା ମଧ୍ୟ କହିହେଉ ନାହିଁ। ପୁଣି ଧାର୍ଯ୍ୟ କରାଯାଇଥିବା ଅର୍ଥରୁ କେଉଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କେଉଁ ପ୍ରକଳ୍ପ ପାଇଁ କେତେ ପାଇବେ ଏହି ଘୋଷଣାରେ ସ୍ପଷ୍ଟ କରାଯାଇ ନାହିଁ। ସମ୍ଭବତଃ ଭାଜପା ଶାସିତ ରାଜ୍ୟଗୁଡ଼ିକ ବଡ଼ ଭାଗ ହାତେଇ ନେବେ। ଏଥିରୁ ବୁଝିବାକୁ ହେବ ଯେ, ଏହା ମଧ୍ୟ ଏକ ରାଜନୈତିକ ଚାଲ, ଏଥିରେ ଅର୍ଥନୀତିର ମଙ୍ଗଳ ମୁଖ୍ୟ ଲକ୍ଷ୍ୟ ନୁହେଁ।
ମେ’ ୨୦୨୦ରେ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ‘ଆତ୍ମନିର୍ଭର ଭାରତ’ ପ୍ୟାକେଜ ଘୋଷଣା କରିଥିଲେ। ତାହାର ଗତି କେଉଁଆଡ଼େ ହୋଇଛି କାହାରିକୁ ଜଣାନାହିଁ। ଏବର ଘୋଷଣାକୁ ବୁଝିବାରେ ଅନେକ ଦ୍ୱନ୍ଦ୍ୱ ରହିଛି। ଏନ୍‌ଡିଏ ସରକାର ଯେଉଁସବୁ ଯୋଜନା ଓ କାର୍ଯ୍ୟକ୍ରମ ଘୋଷଣା କରନ୍ତି, ତାହା ଶୁଣିବାକୁ ଭଲ ଲାଗିଥାଏ। କିନ୍ତୁ କାର୍ଯ୍ୟକାରୀ ଦିଗକୁ ଗଲା ବେଳେ ବାସ୍ତବ ସମସ୍ୟା ଉପୁଜେ। ସରକାରୀ କର୍ମଚାରୀଙ୍କ ବ୍ୟୟରେ ଭାରତୀୟ ବଜାର ଚଳଚଞ୍ଚଳ ହେବ ବୋଲି ସରକାର ଯାହା ଭାବୁଛନ୍ତି, ତାହା ହୃଦ୍‌ବୋଧ ହେଉ ନାହିଁ। କାରଣ ୧୫୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ କେନ୍ଦ୍ରୀୟ କର୍ମଚାରୀଙ୍କ ସଂଖ୍ୟା ରହିଛି ମାତ୍ର ୪୮ ଲକ୍ଷ ୩୪ ହଜାର। ତେଣୁ ପ୍ରତ୍ୟେକ କ୍ଷେତ୍ରକୁ ହିସାବ କରାଯାଇ ବାସ୍ତବ ଅର୍ଥନୈତିକ ପଦକ୍ଷେପ ନିଆଗଲେ ନିମ୍ନଗାମୀ ହୋଇଥିବା ଅର୍ଥନୀତିକୁ ଊର୍ଦ୍ଧ୍ୱମୁଖୀ କରିବା ଲାଗି ସୁଯୋଗ ମିଳିପାରନ୍ତା। କିନ୍ତୁ ବିପୁଳ ଅର୍ଥ ଯୋଗାଡ଼ କରିବାକୁ ଯାଇ କେନ୍ଦ୍ର ସରକାର ସବୁ ରେଳ ଷ୍ଟେଶନ, ବନ୍ଦର, ବିମାନ ବନ୍ଦରଠାରୁ ଆରମ୍ଭ କରି ଦେଶର ସବୁ ସମ୍ପତ୍ତି ଏବେ ବିକ୍ରି ହେବା ପାଇଁ ଆରମ୍ଭ ହୋଇଗଲାଣି। ଏଥିରୁ ବୁଝିବାକୁ ହେବ ଯେ, ସବୁକିଛି ବିକ୍ରି କରି ଅର୍ଥନୀତିକୁ ଉଠାଇବାର ଏହି ଆଳଙ୍କାରିକ ପ୍ୟାକେଜ ସମସ୍ୟାର ସମାଧାନ ଆଣି ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମୀୟ ସ୍ବାଧୀନତା ଓ ଭାରତ

ପ୍ରତିବର୍ଷ ୟୁନାଇଟେଡ୍‌ ଷ୍ଟେଟ୍‌ସ କମିଶନ ଅନ୍‌ ଇଣ୍ଟରନ୍ୟାଶନାଲ ରିଲିଜିଅସ ଫ୍ରିଡମ୍‌ (ୟୁଏସ୍‌ସିଆଇଆର୍‌ଏଫ୍‌) ବିଶ୍ୱରେ ଧର୍ମୀୟ ସ୍ବାଧୀନତା ଉଲ୍ଲଂଘନରେ ଜଡ଼ିତ କିମ୍ବା ଏହାକୁ ଅନୁମତି ଦେଉଥିବା ଦେଶଗୁଡ଼ିକର...

ବାର୍ଦ୍ଧକ୍ୟର ଅନୁଚିନ୍ତା

ମଣିଷର ବୟସ ବଢିଲେ ପରମାୟୁ କମି କମି ଚାଲେ। ଏଣୁ ବୟସକୁ ସମ୍ମାନ ଦେଇ ସର୍ବାଗ୍ରେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ବିଧେୟ। ଶରୀର...

ପତଙ୍ଗ ଭାରତ

ଦେଶ ବା ରାଜ୍ୟ ଚଳେଇବା ଛୋଟିଆ କଥା ନୁହେଁ। ସରକାରୀ କଳକୁ ଚଳେଇବା ମଧ୍ୟ କୋଉ ଯୁଦ୍ଧଠାରୁ କମ୍‌ ନୁହେଁ। ପ୍ରତ୍ୟହ ନୂଆ ନୂଆ ଚ୍ୟାଲେଞ୍ଜ,...

ଏମ୍‌ଏଲ୍‌ଏଙ୍କୁ ଅଣଦେଖା

ଭାରତୀୟ ଜନତା ପାର୍ଟି (ଭାଜପା) ଉଭୟ କେନ୍ଦ୍ର ଓ ଦିଲ୍ଲୀରେ କ୍ଷମତାରେ ଥିବାରୁ ଅମଲାତାନ୍ତ୍ରିକ ପ୍ରକ୍ରିୟା ସରଳରେ ଏବଂ ପ୍ରଭାବୀ ଭାବେ କାର୍ଯ୍ୟ କରିବ ବୋଲି...

ଏଇ ଭାରତରେ

ପ୍ରତିବର୍ଷ ଗ୍ରୀଷ୍ଣଋତୁରେ ବେଙ୍ଗାଲୁରୁ ସହରରେ ଜଳ ସଙ୍କଟ ଦେଖାଯାଏ। ଆପାର୍ଟମେଣ୍ଟରେ ରହୁଥିବା ଲୋକେ ଟ୍ୟାଙ୍କର ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଗଣେଶ ସନଭାଗଙ୍କ ଚେଷ୍ଟା ଯୋଗୁ...

ଫେରିଲେ ସୁନୀତା

ଦୀର୍ଘ ୯ ମାସରୁ ଊର୍ଦ୍ଧ୍ୱ ସମୟ ପ୍ରତୀକ୍ଷାର ଅନ୍ତ ଘଟାଇ ମାର୍ଚ୍ଚ ୧୮, ୨୦୨୫ ତାରିଖ ଅପରାହ୍ନ ୫ଟା ୫୭ ମିନିଟ୍‌ ସମୟରେ ମେକ୍ସିକୋ ଉପସାଗରସ୍ଥିତ...

ନିଜକୁ ଭଲପାଆନ୍ତୁ

ଖାଇବା ବନ୍ଦ କରି ମୃତ୍ୟୁ ଆପଣାଇଲେ ୧୮ ବର୍ଷୀୟା ବାଳିକା। ଶୁଣିବାକୁ ଯେତିକି ଅବିଶ୍ୱସନୀୟ ଲାଗୁଛି ବାସ୍ତବତା ଆହୁରି ଭୟଙ୍କର। ଏକଦା ମଧୁର ଜୀବନ ବିତାଉଥିବା...

ଏସୀୟ ଏକତା ଲୋଡ଼ା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏସିଆରେ ଭୂ-ରାଜନୈତିକ ଓ ଆର୍ଥିକ ସଙ୍କଟଜନିତ ବିପର୍ଯ୍ୟୟର ସମ୍ଭାବନା ସୃଷ୍ଟି କରିଛନ୍ତି। ଟ୍ରମ୍ପ୍‌ଙ୍କ ବ୍ୟବସାୟିକ କୂଟନୀତି, ସାମଗ୍ରୀ ଉପରେ ଟିକସ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image