ମେଣ୍ଟ ଚର୍ଚ୍ଚା ମଧ୍ୟରେ ଝାନ୍‌ସୀରାଣୀଙ୍କ ପ୍ରଥମ ସଭା: ପ୍ରମାଦ ଗଣିଲେଣି ବିରୋଧୀ

ଆନନ୍ଦପୁର,୧୭।୩(ସୁଶାନ୍ତ କୁମାର ସାହୁ): ସମାଜସେବୀ ତଥା ଆଇନଜୀବୀ ଝାନ୍‌ସୀରାଣୀ ଦାସ ଭାଜପାରେ ସାମିଲ ହେବା ପରେ ରବିବାର କଣ୍ଟିପାଳ ପଞ୍ଚାୟତ ରାଇପାଳ ଖେଳପଡ଼ିଆରେ ପ୍ରଥମ ଥର ପାଇଁ ନିର୍ବାଚନୀ ସଭା ଆରମ୍ଭ କରିଛନ୍ତି। ରାଜ୍ୟରେ ଲାଗିରହିଥିବା ଭାଜପା- ବିଜେଡି ମେଣ୍ଟ ଚର୍ଚ୍ଚା ଚୂଡାନ୍ତରେ ପହଞ୍ଚି ନ ଥିବାବେଳେ ଝାନସୀରାଣୀଙ୍କ ସଭା ଚର୍ଚ୍ଚାର ପରିସରକୁ ଆସିଛି। ଏହି ସଭାକୁ ଦେଖି ବିରୋଧୀ ପ୍ରମାଦ ଗଣିଲେଣି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

ମେଣ୍ଟ ହେଲେ ଆସନ ଭାଗ କାହାର ପଡିବ ସ୍ଥିର ହୋଇ ନ ଥିବା ସତ୍ତ୍ୱେ ଝାନସୀରାଣୀଙ୍କ ଦଳୀୟ ସମାବେଶ ରାଜନୈତିକ ସମୀକ୍ଷକଙ୍କୁ ଆଲୋଚନାର ଖୋରାକ୍‌ ଯୋଗାଇଛି। ପରିବର୍ତ୍ତନର ସ୍ବରରେ ଆୟୋଜିତ ସଭାରେ ଶତାଧିକ ମହିଳା ଏକତ୍ରିତ ହୋଇ ଝାନ୍‌ସୀଙ୍କୁ ଭବ୍ୟ ସ୍ବାଗତ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଆୟୋଜିତ ସଭାରେ ଝାନ୍‌ସୀରାଣୀ ସମସ୍ତେ ଏକଜୁଟ୍‌ ହୋଇ ଚଳିତ ନିର୍ବାଚନରେ ଦୁର୍ନୀତିଖୋର ନେତାଙ୍କ ବିରୋଧରେ ଲଢେଇ କରି ଉଚିତ୍‌ ଜବାବ ଦେବାକୁ ଆହ୍ବାନ ଦେଇଥିଲେ। ଏପରିକି ଗରିବଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଇ ନିଜ ଯୋଜନାର ରୂପରେଖ ଦେଇ ଅନିୟମିତତା ପ୍ରଦର୍ଶନ କରୁଥିବା ସେ ପ୍ରକାଶ କରିଥିଲେ। ଆନନ୍ଦପୁର ଅଞ୍ଚଳରେ ବହୁବିଧ ସମସ୍ୟା ରହିଥିଲେ ମଧ୍ୟ ପ୍ରତିବର୍ଷ ନିର୍ବାଚନରେ ଲୋକମାନଙ୍କୁ ଭୁଆଁ ବୁଲାଇ କ୍ଷମତା ଗାଦିରେ ବସୁଥିବା ନେତାମାନେ ନିଜ ସ୍ବାର୍ଥ ଆଗରେ ଲୋକମାନଙ୍କୁ ଅଣଦେଖା କରୁଥିବା ସେ କହିଥିଲେ।

‘ଅବ୍‌କୀ ବାର୍‌ ମୋଦି ସରକାର୍‌’ ନାରାରେ ବିକଶିତ ଭାରତର ସ୍ବପ୍ନ ସାକାର କରିବାକୁ ହେଲେ ୨୦୨୪ରେ ପଦ୍ମଫୁଲ ଫୁଟିବା ଦରକାର ବୋଲି ଝାନ୍‌ସୀ ମହିଳାମାନଙ୍କୁ କହିଥିଲେ।

Share