ରାଞ୍ଚି,୧୬।୫: ଝାଡଖଣ୍ଡର ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ବର୍ଷ ବର୍ଷ ଧରି ଲିଭ୍ଇନ୍ ରିଲେଶନସିପ୍ରେ ରହିଆସୁଥିବା ୫୦୧ ଯୋଡିଙ୍କ ବିବାହ କରାଯାଇଛି। ଏହି ଆୟୋଜନ ରାଜ୍ୟର ଖୁଣ୍ଟି ଜିଲାର କରା ବ୍ଲକ ଅନ୍ତର୍ଗତ ଚୌଲା ପତରା ଗ୍ରାମରେ ହୋଇଛି। ବିଶେଷ କଥା ହେଉଛି ଏହି ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ତାଙ୍କ ସ୍ତ୍ରୀ ମୀରା ମୁଣ୍ଡା ମୁଖ୍ୟ ଅତିଥି ଭାବରେ ସାମିଲ ହୋଇଥିଲେ। ତେବେ ବିବାହ କରିଥିବା ଦମ୍ପତିମାନେ ୨୦ ରୁ ୭୦ ବର୍ଷ ବୟସର ପୁରୁଷ ଏବଂ ମହିଳା ଥିବା ଜଣାଯାଇଛି।
ଏଥି ସହିତ, ବିବାହ କରିଥିବା ଅନେକ ଦମ୍ପତି ମା’ବାପା ମଧ୍ୟ ହୋଇସାରିଛନ୍ତି। ତାଙ୍କ ପିଲାମାନେ ମଧ୍ୟ ତାଙ୍କ ବିବାହର ସାକ୍ଷୀ ରହିଥିଲେ। ଆଦିବାସୀ ଅଞ୍ଚଳରେ ଲିଭ୍ଇନ୍ ରିଲେଶନସିପ୍କୁ ଢୁକୁ ନାମରେ ଜଣାଯାଏ। ଏହିପରି ଦମ୍ପତିମାନେ ଗୋଟିଏ ଛାତ ତଳେ ବର୍ଷ ବର୍ଷ ବିତାଇବା ପରେ ମଧ୍ୟ ନିଜ ସମ୍ପର୍କକୁ ବିବାହ ର ନାଁ ଦେଇପାରନ୍ତି ନାହିଁ। ଢୁକୁ ପରମ୍ପରା ପଛରେ ଅର୍ଥନୀତି ସବୁଠାରୁ ବଡ କାରଣ । ବାସ୍ତବରେ, ଆଦିବାସୀ ସମାଜରେ ଏହା ଏକ ବାଧ୍ୟତାମୂଳକ ପରମ୍ପରା ରହିଛି କି, ବିବାହ ଅବସରରେ ସମଗ୍ର ଗାଁ ପାଇଁ ଏକ ଭୋଜି ଆୟୋଜନ କରାଯାଏ। ତେବେ ଅନେକ ଲୋକ ଆର୍ଥିକ ଅଭାବରୁ ଏପରି ବ୍ୟବସ୍ଥା କରିବାକୁ ଅସମର୍ଥ ଏବଂ ଏହି କାରଣରୁ ସେମାନେ ବିବାହ ନ କରି ଏକାଠି ରହିବାକୁ ଆରମ୍ଭ କରନ୍ତି। ଏହିପରି ଦମ୍ପତିମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ସନ୍ତାନ ଅଛନ୍ତି, ହେଲେ ସମାଜର ପ୍ରଥା ଅନୁଯାୟୀ, ବିବାହ ନ ହେବା ହେତୁ ଏହି ପିଲାମାନେ ଜମି-ସମ୍ପତ୍ତି ଉପରେ ଅଧିକାର ପାଇବାରୁ ବଞ୍ଚିତ ହୁଅନ୍ତି। ଏପରି ପିଲାମାନେ ମଧ୍ୟ ବାପାଙ୍କ ନାମ ମଧ୍ୟ ମିଳେନାହିଁ। ଢୁକୁର ଶଦ୍ଦ ହେଉଛି ପ୍ରବେଶ କରିବା। ଯେତେବେଳେ ଜଣେ ମହିଳା ବିବାହ ପୂର୍ବରୁ କୌଣସି ପୁରୁଷଙ୍କ ଘରେ ପ୍ରବେଶ କରନ୍ତି, ଅର୍ଥାତ୍ ରହିବା ଆରମ୍ଭ କରନ୍ତି ତେବେ ସେମାନଙ୍କୁ ଢୁକୁ ବୋଲି କୁହାଯାଏ।
ଏପରିକି ଆଦିବାସୀ ସମାଜ ମହିଳାମାନଙ୍କୁ ସିନ୍ଦୁର ଲଗାଇବାକୁ ଅନୁମତି ଦିଅନ୍ତି ନାହିଁ। ବର୍ତ୍ତମାନ ବର୍ଷ ବର୍ଷ ଧରି ଏକାଠି ରହୁଥିବା ଦମ୍ପତିଙ୍କୁ ସାମାଜିକ ଏବଂ ଆଇନଗତ ସ୍ବୀକୃତି ଦେବା ଅଭିଯାନ ତୀବ୍ର ହୋଇଛି। ଖୁଣ୍ଟିରେ ଆୟୋଜିତ ଜନ ବିବାହ ସମାରୋହର ମୁଖ୍ୟ ଅତିଥି କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ଯେ, ଯେଉଁମାନେ ବିବାହ କରିବେ ସେମାନେ ବର୍ତ୍ତମାନ ସାମାଜିକ ତଥା ଆଇନଗତ ମାନ୍ୟତା ପାଇବେ। ଏହା ସହିତ, ଏହି ଦମ୍ପତିମାନେ ସମ୍ପତ୍ତି ସହିତ ଅନ୍ୟାନ୍ୟ ପାରିବାରିକ ପ୍ରସଙ୍ଗରେ ଆଇନଗତ ଅଧିକାର ପାଇବେ। ବିବାହ କରୁଥିବା ସମସ୍ତ ଦମ୍ପତିଙ୍କ ପାଇଁ ବିବାହ ପଞ୍ଜୀକରଣ ମଧ୍ୟ କରାଯିବ।