ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିଲା କରୋନା

ରାଞ୍ଚି,୧।୮: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ଧନୀ ହୁଅନ୍ତୁ କି ଗରିବ, ଜନତା ହୁଅନ୍ତୁ କି ନେତା ସମସ୍ତେ ଏବେ କରୋନା କବଳରେ। ଇତିମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଘରେ ପୁଣି କରୋନା ପହଞ୍ଚିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ଗାଡ଼ି ଡ୍ରାଇଭର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଜଣେ ବ୍ୟକ୍ତିଗତ ସଚିବ ମଧ୍ୟ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ଡ୍ରାଇଭର ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜରୁରୀକାଳୀନ ସଚିବ କମଲେଶ କୁମାରଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯିବାରୁ ତାଙ୍କର ପରୀକ୍ଷା କରାଯାଇଥିଲା। ତେବେ ଆସିଥିବା ରିପୋର୍ଟରେ ସେମାନଙ୍କ କରୋନା ପଜିଟିଭ୍‌ ବାହାରିଛି। ସଚିବ କମଲେଶ ନିକଟରେ ପାଟନାରୁ ଫେରିଥିବା ବେଳେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କରୋନା ପହଞ୍ଚିଥିବାରୁ ଅନ୍ୟ କର୍ମଚାରୀଙ୍କ ମଧ୍ୟ ନମୁନା ପରୀକ୍ଷା କରାଯିବ ବୋଲି ସୂଚନା ରହିଛି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାଙ୍କ ପତ୍ନୀଙ୍କର ମଧ୍ୟ କରୋନା ପରୀକ୍ଷା କରାଯାଇଥିଲା। ଯେଉଁଥିରେ ଉଭୟଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ସୂଚନା ମୁତାବକ, ଝାଡଖଣ୍ଡରେ କରୋନା ବ୍ୟାପିବାରୁ ରୋକିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହା ସତ୍ତ୍ୱେ ମଧ୍ୟ ରାଜ୍ୟରେ ଦିନକୁ ଦିନ ଶହ ଶହ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜ୍ୟରେ ଏଯାଏ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୩୧୪ରେ ପହଞ୍ଚିଛି। ସେଥିମଧ୍ୟରୁ ୪,୩୧୪ ସୁସ୍ଥ ହୋଇଥିବା ବେଳେ ୧୦୬ଜଣଙ୍କ ମୃତ୍ୟୁ ଘଟିଛି।

Share