Categories: ଜାତୀୟ

ଦ୍ରୌପଦୀ ନା ଯଶଓ୍ବନ୍ତ କାହାକୁ ସମର୍ଥନ କରିବେ ସୋରେନ

ନୂଆଦିଲ୍ଲୀ,୨୭।୬: ରାଷ୍ଟ୍ରପତି ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ପ୍ରାର୍ଥୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପ୍ରସଙ୍ଗରେ ରାଜ୍ୟର ଶାସକ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ଏବେ ଦ୍ୱନ୍ଦରେ ପଡ଼ିଯାଇଛି। ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଜେଏମ୍‌ଏମ୍‌ ନିଷ୍ପତ୍ତି ନେଇଛି ଯେ, ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ। ଇତିମଧ୍ୟରେ ସୋମବାର ହେମନ୍ତ ସୋରେନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଅନ୍ୟପଟେ ସୋମବାର ହେମନ୍ତ ସୋରେନ ଶାହାଙ୍କ ବ୍ୟତୀତ ଦିଲ୍ଲୀରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ମଧ୍ୟ ଭେଟିଛନ୍ତି। ତେବେ ଉଭୟ ନେତାଙ୍କ ସହ ସାକ୍ଷାତକାର ପରେ ବି ରାଷ୍ଟ୍ରପତି ନିର୍ବାଚନରେ ସେ କାହାକୁ ସମର୍ଥନ କରିବେ ସେନେଇ ହେମନ୍ତ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ତେବେ ଉଭୟ ନେତାଙ୍କ ସହ ଏହି ସାକ୍ଷାତକାରକୁ ନେଇ ଚର୍ଚ୍ଚା ଜୋର ଧରିଛି।

Share