ରାଞ୍ଚି,୩ା୯: ଝାଡ଼ଖଣ୍ଡରେ ରାଜନୈତିକ ଅନିଶ୍ଚିତତା ଲାଗିରହିଥିବାବେଳେ ଜେଏମ୍ଏମ୍-କଂଗ୍ରେସ ମେଣ୍ଟର ବିଧାୟକମାନେ ଗୁରୁବାର ରାଜ୍ୟପାଳ ରମେଶ ବୈଶଙ୍କୁ ଭେଟି ନିର୍ବାଚନ କମିଶନଙ୍କ ସୁପାରିସ ଉପରେ ତୁରନ୍ତ ନିଷ୍ପତ୍ତି ନେବାକୁ ଅନୁରୋଧ କରିଥିଲେ। ରାଜ୍ୟପାଳ ଶୁକ୍ରବାର ଦିଲ୍ଲୀ ଗସ୍ତ କରିଥିବାରୁ ନିଷ୍ପତ୍ତି ନେବାରେ ଅଧିକ ବିଳମ୍ବ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ରାଜ୍ୟପାଳ ମେଡିକାଲ ଚେକ୍ଅପ୍ ପାଇଁ ବ୍ୟକ୍ତିଗତ କାର୍ଯ୍ୟରେ ଦିଲ୍ଲୀ ଯାଇଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ନିଜ ନାମରେ ଖଣି ଲିଜ୍ ନେଇଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ବିଧାୟକ ପଦ ରଦ୍ଦ ଲାଗି ନିର୍ବାଚନ କମିଶନ ରାଜ୍ୟପାଳ ବୈଶଙ୍କୁ ସୁପାରିସ କରିଥିଲେ। ଇତିମଧ୍ୟରେ ସପ୍ତାହେରୁ ଅଧିକ ସମୟ ବିତିଥିଲେ ମଧ୍ୟ ରାଜ୍ୟପାଳ ଏହା ଉପରେ କୌଣସି ନିଷ୍ପତ୍ତି ନ ନେଇ ସମୟ ଗଡ଼ାଇ ଚାଲିଛନ୍ତି। ଶାସକ ବିଧାୟକମାନଙ୍କୁ କିଣିବା ଲାଗି ରାଜ୍ୟପାଳ ଭାଜପାକୁ ସୁଯୋଗ ଦେଉଥିବା ଅଭିଯୋଗ ହୋଇଛି। ଘୋଡ଼ାବେପାର ଆଶଙ୍କାରେ ଶାସକ ବିଧାୟକମାନଙ୍କୁ ଛତିଶଗଡ଼ରେ ରଖାଯାଇଛି। ଇସିଙ୍କ ଚିଠି ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ପ୍ରଘଟ ହେବା ପରେ ରାଜ୍ୟରେ ରାଜନୈତିକ ସଙ୍କଟ ସାଙ୍ଗକୁ ପ୍ରଶାସନିକ ଅଚଳାବସ୍ଥା ଦେଖାଦେଇଛି।