୫୩ ବର୍ଷ ବୟସରେ ଯୁକ୍ତ ୨ରେ ଆଡ୍‌ମିଶନ କଲେ ଏହି ରାଜ୍ୟର ଶିକ୍ଷାମନ୍ତ୍ରୀ

ରାଞ୍ଚି, ୧୦।୮: କୁହାଯାଏ ପାଠ ପଢ଼ିବାର କୌଣସି ବୟସ ନାହିଁ। ଯେକୌଣସି ବୟସରେ ମଧ୍ୟ ଜଣେ ଚାହିଁଲେ ଶିକ୍ଷା ଗ୍ରହଣ କରିପାରିବ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଝାଡ଼ଖଣ୍ଡରେ ଦେଖିବାକୁ ମିଳିଛି। ଝାଡ଼ଖଣ୍ଡର ଶିକ୍ଷାମନ୍ତ୍ରୀ ଜଗରନାଥ ମହତୋ ବର୍ତ୍ତମାନ ରାଜ୍ୟ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଆଣିବା ସହିତ ନିଜେ ମଧ୍ୟ ଅଧ୍ୟୟନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସେଥିଲାଗି ୫୩ ବର୍ଷ ବୟସରେ ଜଗରନାଥ ଯୁକ୍ତ ୨ରେ ଆଡ୍‌ମିଶନ କରିଛନ୍ତି। ସୋମବାର ସେ ବୋକାରୋ ଜିଲା ବରମୋ ବ୍ଲକ ଅନ୍ତର୍ଗତ ନଓ୍ବାଡିହସ୍ଥିତ ଦେବୀ ମହତୋ କଲେଜରେ ଯୁକ୍ତ ୨ କଳାରେ ନାମ ଲେଖାଇଛନ୍ତି। ଆଡ୍‌ମିଶନ ଫି’ ବାବଦକୁ ସେ ୧୧୦୦ ଟଙ୍କା ପୈଇଠ କରିଛନ୍ତି।
ପରେ ଜଗରନାଥ କହିଛନ୍ତି, ‘କ୍ଲାସ କରିବି ଏବଂ ମନ୍ତ୍ରଣାଳୟ ମଧ୍ୟ ପରିଚାଳନା କରିବି। ଏଥିସହ ଘରେ ଜମିବାଡ଼ି କାମ ମଧ୍ୟ ଦେଖିବି। ଯାହା ଦ୍ୱାରା ମୋ କାମରେ ଅନ୍ୟଲୋକ ମଧ୍ୟ ଅନୁପ୍ରାଣିତ ହେବେ।’ ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କ ଏହି ନିଷ୍ପତ୍ତି କେବଳ ରାଜ୍ୟ ନୁହେଁ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଲ୍ଲେଖଯୋଗ୍ୟ, ଜଗରନାଥ ୧୯୯୫ରେ ମାଟ୍ରିକ ପାସ୍‌ କରିବା ପରେ ଅଧ୍ୟୟନ ଛାଡ଼ିଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ଶିକ୍ଷାମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଅଧିକାଂଶ ଲୋକ ପ୍ରଶ୍ନ ଉଠାଇଥିଲେ ଯେ, ଜଣେ ୧୦ମ ଶ୍ରେଣୀ ପାସ୍‌ କରିଥିବା ବ୍ୟକ୍ତି କେଉଁଭଳି ଶିକ୍ଷା ବିଭାଗ ସମ୍ଭାଳିବେ। ଏହାପରେ ଜଗରନାଥ ଉଚ୍ଚଶିକ୍ଷା ପାଇଁ ନିଷ୍ପତ୍ତି ନେଇଥିଲେ। ଏଡିଆର୍‌ ରିପୋର୍ଟ ମୁତାବକ, ନିର୍ବାଚନ ସମୟରେ ଦାଖଲ ସତ୍ୟପାଠ ଅନୁଯାୟୀ ଝାଡ଼ଖଣ୍ଡର ଏଭଳି ଅନେକ ମନ୍ତ୍ରୀ ରହିଛନ୍ତି ଯେଉଁମାନେ କି ଦଶମ ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରେ ବନ୍ନା ଗୁପ୍ତା (ସ୍ବାସ୍ଥ୍ୟମନ୍ତ୍ରୀ), ଚମ୍ପାଇ ସୋରେନ (ପରିବହନ ମନ୍ତ୍ରୀ), ଜୋବା ମଞ୍ଜି (ସାମାଜିକ କଲ୍ୟାଣ ମନ୍ତ୍ରୀ) ଓ ସତ୍ୟାନନ୍ଦ ଭୋକଟା (ଶ୍ରମ ମନ୍ତ୍ରୀ) ରହିଛନ୍ତି।

Share