ଯେଉଁଠି ହାରିଥିଲେ ଶ୍ୱଶୁର, ସେଇଠି ପ୍ରାର୍ଥୀ ହେଲେ ବୋହୂ

ଭୁବନେଶ୍ୱର/ରାଞ୍ଚି,୨୦।୧୦: ଭାରତୀୟ ଜନତା ପାର୍ଟି ଝାଡଖଣ୍ଡର ନିର୍ବାଚନୀ ଯୁଦ୍ଧରେ ୬୬ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି। ଏହି ପ୍ରାର୍ଥୀଙ୍କ ମଧ୍ୟରେ ବାବୁ ଲାଲ ମାରାଣ୍ଡି, ଚମ୍ପାଇ ସୋରେନ, ସୁଦର୍ଶନ ଭାଗବତଙ୍କ ନାମ ପ୍ରମୁଖ ରହିଛି। ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ କଳ୍ପନା ସୋରେନଙ୍କ ବିରୋଧରେ ଭାଜପା ମୁନିୟା ଦେବୀଙ୍କୁ ଫିଲ୍ଡିଂ କରିଛି। ନାମ ଏବଂ ଆସନ ବ୍ୟତୀତ ଭାଜପା ତାଲିକାରେ ପରିବାରବାଦ ଓ ଦଳବଦଳ ନେତାଙ୍କୁ ଅଧିକ ପ୍ରାଧାନ୍ୟ ମିଳିଥିବା ଦେଖିବାକୁ ମିଳିଛି। ୬୬ ଟି ସିଟ ମଧ୍ୟରୁ ୧୩ ଟିରେ ଭାଜପା ଦଳବଦଳେଇ ଆସିଥିବା ନେତାଙ୍କୁ ମଇଦାନକୁ ଓହ୍ଲାଇଛି। ଭାଜପା ଚମ୍ପାଇ ସୋରେନଙ୍କ ପୁଅ ବାବୁଲାଲ ସୋରେନ, ଅର୍ଜୁନ ମୁଣ୍ଡାଙ୍କ ସ୍ତ୍ରୀ ମେରା ମୁଣ୍ଡା, ମଧୁ କୋଡାଙ୍କ ପତ୍ନୀ ଗୀତା କୋଡା, ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁଙ୍କୁ ଟିକେଟ୍‌ ଦେଇଛି।

ଘାଟସିଲାରୁ ଚମ୍ପାଇଙ୍କ ପୁଅ ବାବୁଲାଲଙ୍କୁ ଭାଜପା ଟିକେଟ ଦେଇଛି। ଶିବୁ ସୋରେନଙ୍କ ବୋହୂ ସୀତାଙ୍କୁ ଜାମତାରରୁ ଫିଲ୍ଡିଂ କରାଯାଇଛି। ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମାଙ୍କୁ ଜାମସେଦପୁର ପୂର୍ବରୁ ଟିକେଟ୍‌ ମିଳିଛି। ତେବେ ପୂର୍ଣ୍ଣିମା ଛତିଶଗଡର ଝିଅ ହୋଇଥିବାବେଳେ ଝାଡ଼ଖଣ୍ଡର ବୋହୂ। ଏହି ଆସନରୁ ରଘୁବର ଦାସ ନିଜେ ୨୦୧୯ରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜୟ ବରଣ କରିଥିଲେ। ତେବେ ଟିକେଟ ମିଳିବା ପରେ ଗତ ସାଢେ ୬ ବର୍ଷ ଧରି ସେ ଝାଡ଼ଖଣ୍ଡର ଝିଅ ଭାବେ ସେବା କରିଛନ୍ତି ବୋଲି ପୂର୍ଣ୍ଣିମା କହିଛନ୍ତି।

ସୂଚନାଯୋଗ୍ୟ, ଝାଡ଼ଖଣ୍ଡରେ ୧୩ ନଭେମ୍ବର ଓ ୨୦ ନଭେମ୍ବରରେ ମତଦାନ ଓ ନଭେମ୍ବର ୨୩ରେ ଭୋଟ ଗଣତି ହେବ।

Share