ନୀଳଗିରିରେ ଝାଡ଼ଖଣ୍ଡୀ ହାତୀପଲ

ସଜନାଗଡ଼, ୨୯।୧୨(ଡି.ଏନ.ଏ.)  ଝାଡଖଣ୍ଡ ଦଲମା ଜଙ୍ଗଲରୁ ୩୯ ଟିକିଆ ହାତୀପଲ ଓଡ଼ିଶା ସୀମାନ୍ତ ପାରି ହୋଇ ଚିରାଚରିତ ରାସ୍ତା ମୟୂରଭଞ୍ଜ ଜିଲା ନଡ଼ପୁର, ବୁଢ଼ାବଳଙ୍ଗ ନଦୀ ଦେଇ ମଙ୍ଗଳବାର ଭୋରରେ ନୀଳଗିରି ରେଞ୍ଜ ଅଧୀନ ପୁନ୍ଦାଳ, କାଠପାଳ, ଦୁର୍ଗାଦେବୀ, ପାଟଣା, ଅଯୋଧ୍ୟା ରାସ୍ତା ଦେଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛନ୍ତି। ଦିନରେ ହାତୀପଲ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ବାହାରିଥିଲେ। ହେଲେ ବିଲରେ ଧାନ ନ ଥିବାରୁ ହାତୀପଲ ଗାଁମୁହାଁ ହୋଇ ଦୁଇ ତିନୋଟି ସ୍ଥାନରେ ଘରେ ଥିବା ଧାନପୁଞ୍ଜିରୁ ଧାନ ଖାଇବା ସହ ଅଧିକ ନଷ୍ଟ କରିଛନ୍ତି।
ନଭେମ୍ବର ୨୫ରେ ୧୬ଟିକିଆ ହାତୀପଲ ଗୋଟିଏ ଦିନ ରହି ଫେରିଯାଇଥିଲେ। ଆଜି ପୁଣି ଯେଉଁ ହାତୀପଲ ଆସିଛନ୍ତି ତନ୍ମଧ୍ୟରେ ୧୨ ଦନ୍ତା ଥିବାବେଳେ ୧୦ ଛୁଆ, ୧୭ ମା’ ହାତୀ ଅଛନ୍ତି। ହାତୀପଲ ଆସିଥିବା ଖବରପାଇ ଗୋପାଳପୁର ଓ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ସଂଲଗ୍ନ ଗ୍ରାମଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଜଙ୍ଗଲ ଚତୁଃପାର୍ଶ୍ୱରେ ବନବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ସୌରବାଡ ଓ ଟ୍ରେଞ୍ଚ ନିର୍ମାଣ ହେଇଥିଲେ ମଧ୍ୟ ଏବେ ଧ୍ୱସ୍ତବିଧ୍ୱସ୍ତ ହୋଇ ଯାଇଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଗ୍ରାମବାସୀଙ୍କୁ ସଚେତନ କରାଯିବା ସହ ହାଣ୍ଡିଆ, ମହୁଲ, ମାଦକଦ୍ରବ୍ୟ ନ ରଖିବା ଲାଗି କୁହାଯାଇଛି। ହାତୀପଲ ଗତିବିଧି ଉପରେ ନଜର ରଖିବାକୁ ନୀଳଗିରି ବନବିଭାଗର ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ଼, ସବୁଜବାହିନୀ ଉପସ୍ଥିତ ଅଛନ୍ତି।