Categories: ଜାତୀୟ

ଇଡିର ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲେ ସୋରେନ

ନୂଆଦିଲ୍ଲୀ,୧।୨: ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ବୁଧବାର ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁଖୀ ମୋର୍ଚ୍ଚା (ଜେଏମଏମ) ନେତା ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଇଡିର ଗିରଫଦାରୀ ବିରୋଧରେ ସୋରେନ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ବରିଷ୍ଠ ଓକିଲ କପିଲ ସିବଲ ଗୁରୁବାର ସୋରେନଙ୍କ ଗିରଫ ପ୍ରସଙ୍ଗ ଉଠାଇଛନ୍ତି। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି ଯେ, ଏହି ମାମଲା ଶୁକ୍ରବାର (ଫେବୃଆରୀ ୨)ରେ ଶୁଣାଣି ହେବ।

ସୁପ୍ରିମକୋର୍ଟରେ ଯେତେବେଳେ ହେମନ୍ତ ସୋରେନଙ୍କ ଆବେଦନ ପହଞ୍ଚିଲା, ସେତେବେଳେ ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ଅଭିଷେକ ମନୁ ସିଂଘବି ଝାଡଖଣ୍ଡର ପୂର୍ବତନ ସିଏମଙ୍କ ତରଫରୁ ହାଜର ହୋଇଥିଲେ। ସିବଲ ଏବଂ ସିଂଘବ ମିଳିତ ଭାବେ ସୋରେନଙ୍କ ଆବେଦନକୁ ପ୍ରଧାନ ବିଚାରପତିଙ୍କ ନିକଟରେ ଉପସ୍ଥାପନ କରିଥିଲେ ଏବଂ ତାଙ୍କ ଗିରଫଦାରୀ ବିରୋଧରେ ଶୁଣାଣି କରିବାକୁ ଦାବି କରିଥିଲେ। ଏହି ପ୍ରସଙ୍ଗରେ ପ୍ରଧାନ ବିଚାରପତି କହିଛନ୍ତି ଯେ, ସେ ଶୁକ୍ରବାର ଏହି ମାମଲାର ଶୁଣାଣି କରିବେ। ଏଭଳି ପରିସ୍ଥିତିରେ ହେମନ୍ତ ସୋରେନ ଗୁରୁବାର ଇଡି ହେପାଜତରେ ରହିବାକୁ ଯାଉଛନ୍ତି। ବୁଧବାର ରାତିରେ ସୋରେନଙ୍କୁ ଗିରଫ କରାଯାଇଥିଲା।

Share