Categories: ଜାତୀୟ

ବସ୍‌କୁ ପିଟିଲା ଗ୍ୟାସ୍‌ ବୋଝେଇ ଟ୍ରକ୍‌: ଚାଲିଗଲା ୧୫ ଜୀବନ

ରାଞ୍ଚି,୬।୧: ଝାଡଖଣ୍ଡର ପାକୁର ଜିଲାରେ ବୁଧବାର ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ ଏବଂ ଟ୍ରକ ମଧ୍ୟରେ ମୁହାଁମୁହଁି ଧକ୍କାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଜଣାଯାଇଛି। ଅମରପଡା ପୋଲିସ ଷ୍ଟେଶନ ପରିସରରେ ଥିବା ପେଡର କୋଲା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ପୋଲିସର ସୂଚନାନୁସାରେ, ଲିଟିପାରା-ଆମ୍ରାପଡା ମୁଖ୍ୟ ରାସ୍ତାରେ ପେଡର କୋଲା ନିକଟରୁ ଏକ ଘରୋଇ ବସ ଏବଂ ସିଲିଣ୍ଡର ଭର୍ତ୍ତି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଅନିୟନ୍ତ୍ରିତ ଟ୍ରକ ବସ ଭିତରକୁ ପଶି ଆସିଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ବସ ଯାତ୍ରୀ ଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତ ଯାତ୍ରୀଙ୍କ ବିବରଣୀ ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ। ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଜାରି ରହିଛି।

Share