Categories: ଜାତୀୟ

୪୬ଘଣ୍ଟା ପରେ ଶେଷ ହେଲା ରେସକ୍ୟୁ ଅପରେଶନ୍‌

ଦେଓଘର,୧୨।୪: ଝାଡଖଣ୍ଡ ଦେଓଘରର ତ୍ରିକୁଟ ପାହାଡ଼ର ରୋପଓ୍ବେ ଦୁର୍ଘଟଣାର ପ୍ରାୟ ୪୬ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ରେସକ୍ୟୁ ଅପରେଶନ୍‌ ଶେଷ ହୋଇଛି। ମଙ୍ଗଳବାର ରୋପଓ୍ବେରେ ଫସିରହିଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଛି। ବାୟୁସେନା, ଭାରତୀୟ ସେନା, ଏନ୍‌ଡିଆରଏଫ୍‌ ଓ ଆଇଟିବିପି ଯବାନଙ୍କ ମିଳିତ ଉଦ୍ୟମରେ ପ୍ରାୟ ୪୬ଘଣ୍ଟା ପରେ ୧୫୦୦ଫୁଟ୍‌ ଉଚ୍ଚତାରୁ ୪୭ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୪ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ରବିବାର ଅପରାହ୍ନ ୪ଟାରେ ତ୍ରିକୁଟ ପାହାଡ଼ ଉପରେ ଥିବା ରୋପଓ୍ବେର ଟ୍ରଲିଗୁଡ଼ିକ ପରସ୍ପର ସହଳ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା। ଏଥିରେ ୫୦ରୁ ଅଧିକ ଲୋକ ଫସିରହିଥିବା ବେଳେ ସନ୍ଧ୍ୟା ହୋଇଯାଇଥିବାରୁ ସେହି ଦିନ ଦୁର୍ଗମ ପାହାଡରେ ରେସକ୍ୟୁ ଅପରେଶନ୍‌ ଆରମ୍ଭ ହୋଇପାରି ନ ଥିଲା। ତେବେ ସୋମବାରରୁ ଯବାନମାନେ ହେଲିକପ୍ଟର ଜରିଆରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ମଙ୍ଗଳାବାର ମଧ୍ୟ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ଜଣେ ମହିଳା ତଳକୁ ଖସିପଡ଼ିଥିଲେ। ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଉଥିଲା। ହେଲେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଅନ୍ୟପଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଝାଡଖଣ୍ଡ ହାଇକୋର୍ଟ ମଧ୍ୟ ଉକ୍ତ ଘଟଣାର ବିଷୟରେ ବୁଝିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୨୬ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ।

Share