Categories: ମେଟ୍ରୋ

ଝାରପଡ଼ା ସ୍ବତନ୍ତ୍ର ଜେଲକୁ ଆଇଏସ୍‌ଓ ସାର୍ଟିଫିକେଟ୍‌

ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ଝାରପଡା ସ୍ପେଶାଲ ଜେଲକୁ ଆଇଏସ୍‌ଓ (ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ ଫର୍‌ ଷ୍ଟାଣ୍ଡାର୍ଡାଇଜେଶନ) ୯୦୦୧:୨୦୧୫ ସାର୍ଟିଫିକେଟ୍‌ ମିଳିଛି। ରାଜ୍ୟର ପ୍ରଥମ ଜେଲଭାବେ ବିକ୍ୟୁସି ଆସେସମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ବର୍ଷକ ପାଇଁ ଏହି ମାନ୍ୟତା ଦିଆଯାଇଛି। କ୍ୱାଲିଟି ମ୍ୟାନେଜମେଣ୍ଟ ସହ ଜେଲରେ ଦକ୍ଷତା ବିକାଶ, କଏଦୀଙ୍କ ମାନସିକ ଚାପ ଦୂର ପାଇଁ ପଦକ୍ଷେପ, କଏଦୀଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି, ଜେଲରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ, ସ୍ବଚ୍ଛତା ଓ ପରିଚ୍ଛନ୍ନତା ଲାଗି ଏହି ମାନ୍ୟତା ମିଳିଥିବା ସୁପରିଣ୍ଟେଣ୍ଡେଣ୍ଟ ଧୀରେନ୍ଦ୍ରନାଥ ବାରିକ ସୂଚନା ଦେଇଛନ୍ତି। ଏହା ୨୦୨୧ ଏପ୍ରିଲ ୧୭ରୁ ୨୦୨୨ ଏପ୍ରିଲ ୧୬ ଯାଏ ବୈଧ ରହିବ। ବୈଧତା ସରିବା ପୂର୍ବରୁ ମାର୍ଚ୍ଚ ୧୭ ସୁଦ୍ଧା ସର୍ଭେଲାନ୍ସ ଅଡିଟ କରାଯିବ। ଯଦି ଜେଲ ଉପରୋକ୍ତ କ୍ଷେତ୍ରରେ ପୂର୍ବପରି ଗୁଣବତ୍ତା ବଜାୟ ରଖିଥିବ, ତେବେ ଏହି ମାନ୍ୟତା ବଳବତ୍ତର ରହିବ ବୋଲି ସଂସ୍ଥା ତରଫରୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୭ରେ ବିକ୍ୟୁସି ଆସେସ୍‌ମେଣ୍ଟ ସଂସ୍ଥା ତରଫରୁ ୩ ଜଣିଆ ଟିମ ଝାରପଡା ସ୍ପେଶାଲ ଜେଲ ପରିଦର୍ଶନ କରି ପରିଚାଳନାଠାରୁ ଆରମ୍ଭ କରି କଏଦୀଙ୍କ କାର୍ଯ୍ୟ, ଖାଦ୍ୟ, ରହିବା ଆଦି ଯାଞ୍ଚ କରିଥିଲେ।

Share