ଝାରସୁଗୁଡ଼ା ଉପନିର୍ବାଚନ: ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି। ଏନେଇ ସୋମବାର ଏଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପକ୍ଷେ ବିଜେଡି ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ।

ଅନ୍ୟପକ୍ଷେ ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏନେଇ ଏପ୍ରିଲ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ଏପ୍ରିଲ ୨୦ ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ ୨୧ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଏପ୍ରିଲ ୨୪ ରହିଛି। ମେ’ ୧୩ ତାରିଖରେ ଗଣତି ହେବ।

ସୂଚନାଯୋଗ୍ୟ, ଜାନୁୟାରୀ ୨୯ରେ ବ୍ରଜରାଜନଗରଠାରେ ମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ନବ ଦାସଙ୍କ ବିୟୋଗ ପରେ ଉକ୍ତ ଆସନରେ ଉପନିର୍ବାଚନ ନେଇ ତାରିଖ ଘୋଷଣା ହୋଇଯାଇଛି।