ଭୁବନେଶ୍ୱର,୭।୫(ବ୍ୟୁରୋ): ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ହେବ। ହାତରେ ଆଉ ମାତ୍ର ୨ ଦିନ ଥିବାରୁ ନିର୍ବାଚନ ପ୍ରଚାର ଶେଷସୀମାରେ ପହଞ୍ଚିଛି। ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀମାନେ ଘରଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ଶେଷ ମୁହୂର୍ତ୍ତରେ ଭୋଟରଙ୍କ ହୃଦୟ ଜିତିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ଦଳର ଷ୍ଟାର କ୍ୟାମ୍ପେନରଙ୍କ ସହିତ ବିଭିନ୍ନ ସ୍ଥାନରେ ସମାବେଶ କରିବା ସାଙ୍ଗକୁ ଗଁା ଗଁା ବୁଲି ପ୍ରଚାର କରୁଛନ୍ତି। ଅନ୍ୟପକ୍ଷରେ ରବିବାର ଝାରସୁଗୁଡ଼ାରେ ହାଇ ଭୋଲ୍ଟେଜ ପ୍ରଚାର ହେବ। ବିଜେଡି ଓ ଭାଜପା ନିଜର ଶକ୍ତି ପ୍ରଦର୍ଶନ କରିବେ। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ। ଏଥିପାଇଁ ଅମିଲିପାଲି ପଡ଼ିଆରେ ବିଜେଡି ପକ୍ଷରୁ ଏକ ବିରାଟ ସମାବେଶର ଆୟୋଜନ କରାଯାଇଛି। ବିଜେଡି ପର୍ଯ୍ୟବେକ୍ଷକଙ୍କଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ନେତାମାନେ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଦୀପାଳିଙ୍କୁ ଜିତାଇବା ପାଇଁ ନବୀନ ଭୋଟ ଭିକ୍ଷା କରିବେ।
ଅନ୍ୟପକ୍ଷରେ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇବେ। ଧର୍ମେନ୍ଦ୍ର କୋଲାବିରା ବ୍ଲକରେ ଦଳ ପକ୍ଷରୁ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦେବା ସହ ଝାରସୁଗୁଡ଼ା ବସ୍ଷ୍ଟାଣ୍ଡରେ ରୋଡ୍ ଶୋ କରିବେ। ଗୋଟିଏ ଦିନରେ ଦୁଇ ଦଳର ହେଭିଓ୍ବେଟ ନେତାଙ୍କ ଗସ୍ତ ଝାରସୁଗୁଡ଼ା ଉପନିର୍ବାଚନକୁ ସରଗରମ କରିଛି। ଉପନିର୍ବାଚନରେ ବିଜେଡି ନିଜ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ପୂରା ଦମ ଲଗାଇ ଥିବାବେଳେ ଭାଜପା ପ୍ରାର୍ଥୀଙ୍କ ପାଇଁ ପଶ୍ଚିମ ଓଡ଼ିଶା ଏମ୍ପି, ରାଜ୍ୟ ସଭାପତି, ଜାତୀୟ ସ୍ତରର ନେତା ଓ କେନ୍ଦ୍ରମନ୍ତ୍ରୀମାନେ ଜୋର ଲଗାଇଛନ୍ତି।