ଭୁବନେଶ୍ୱର,୧୬।୩: ରାଜ୍ୟରେ ପାରଦ ଉପରମୁହାଁ ରହିଛି। ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି। ରବିବାର ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ଦିନ ୨ଟା ସୁଦ୍ଧା ରାଉରକେଲାରେ ୩୯.୮ ତାପମାତ୍ରା ରହିଥିବା ବେଳେ ସମ୍ବଲପୁରରେ ୩୯ ଏବଂ ହୀରାକୁଦରେ ୩୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଏପରିକି କେନ୍ଦୁଝର ଏବଂ ଚାନ୍ଦବାଲିରେ ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ ହୋଇଛି। ଅନ୍ୟପକ୍ଷେ ଆସନ୍ତା ୩ ଦିନ ପାଇଁ ରାଜ୍ୟରେ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଇତିମଧ୍ୟରେ ରାଜ୍ୟରେ ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ସକାଳୁଆ ସ୍କୁଲ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି। ଏନେଇ ସରକାର ଆଲୋଚନା କରୁଛନ୍ତି। ତୁରନ୍ତ ସରକାର ସକାଳୁଆ ସ୍କୁଲ ନେଇ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି।