୬୩ ବର୍ଷରେ ଝାରସୁଗୁଡ଼ା-ପୁରୀ ପଦଯାତ୍ରା: ସୁସ୍ଥ ସମାଜ ଗଠନ ଉଦ୍ଦେଶ୍ୟ

ଲଖନପୁର,୬।୧(ଡି.ଏନ.ଏ.): ନିଶା ମୁକ୍ତ ସୁସ୍ଥ ସମାଜ ଗଠନ ନେଇ ଆଗେଇ ଆସିଛନ୍ତି ୬୩ ବର୍ଷୀୟ ଅବସରପ୍ରାପ୍ତ ବିଦ୍ୟୁତ୍‌ କର୍ମଚାରୀ ଅଭିରାମ ସତପଥୀ। ଅଭିରାମଙ୍କ ଘର ଝାରସୁଗୁଡ଼ା ଜିଲା ଦୁର୍ଲଗା ଗ୍ରାମରେ। ଅବସର ପରେ ସେ ଅସୁସ୍ଥ ହୋଇପଡିଥିଲେ। ଏନେଇ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ହେଲେ ଡାକ୍ତର ମଧ୍ୟ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ଆଶଙ୍କା ପ୍ରକାଶ କରିଥିଲେ। ଏହାକୁ ଖାତିର ନ କରି ନିଜକୁ ସୁସ୍ଥ ରଖିବାକୁ ନିଷ୍ପତ୍ତି ନେଇଥିଲେ। ସେ ପ୍ରଥମେ ବହୁ କଷ୍ଟରେ ଚାଳିବା ଆରମ୍ଭ କରିଥିଲେ। ପରେ ଦୌଡିବା ସହ ବ୍ୟାୟାମ କରିଥିଲେ। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛନ୍ତି। ସମାଜକୁ ଏକ ବାର୍ତ୍ତା ଦେବାକୁ ଯାଇ ନିଶାମୁକ୍ତ ହୋଇ ପ୍ରତିଦିନ ବ୍ୟାୟମ କରି ନିଜକୁ ସୁସ୍ଥ ରହିବାକୁ କହିଛନ୍ତି। ଏହି ପରିପେକ୍ଷୀରେ ଅଭିରାମ ବୁଧବାର ଝାରସୁଗୁଡାରୁ ପଦଯାତ୍ରାରେ ବାହାରି ଆସନ୍ତା ୨୨ତାରିଖରେ ପୁରୀରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର ଲକ୍ଷ୍ୟ ରଖିଛନ୍ତି। ୧୯ରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଶା ମୁକ୍ତ ଓଡିଶା ଗଠନ ନେଇ ଏକ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ପ୍ରକାଶ କରିଛନ୍ତି। ଅଭିରାମଙ୍କ ପଦଯାତ୍ରା ଆରମ୍ଭ ଅବସରରେ ଝାରସୁଗୁଡ଼ା ଜିଲାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇ ଥିଲା। ଏପରି କି ଯାତ୍ରା ସଫଳ ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଅଭିରାମଙ୍କ ଏହି ଯାତ୍ରା ପାଇଁ ସେ ଜିଲାପାଳଙ୍କ ନିକଟରୁ ଅନୁମତି ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ସେ ଅଭିଯାନରେ ବାହାରିଛନ୍ତି।