ଝାରସୁଗୁଡ଼ା ଅଫିସ୍,୬ା୩: ଝାରସୁଗୁଡ଼ାରେ ରାଜ୍ୟର ଦ୍ୱିତୀୟ ଏନ୍ସିସି ଏୟାର୍ ଓ୍ବିଙ୍ଗ କେନ୍ଦ୍ର ସ୍ଥାପନ ହେବାକୁ ଯାଉଛି। ଏଥିପାଇଁ ଝାରସୁଗୁଡ଼ା ମାଳିମୁଣ୍ଡା ନିକଟରେ ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ଝାରସୁଗୁଡ଼ାର ଦ୍ୱିତୀୟ ବାଟାଲିଅନ୍ କମାଣ୍ଡିଂ ଅଫିସର ମନୋଜ କୁମାର ପୁରୋହିତ ମୁଖ୍ୟଅତିଥି ଓ ସ୍ଥାନୀୟ ଲକ୍ଷ୍ମୀନାରାୟଣ କଲେଜ୍ ଏନ୍ସିସି ଅଫିସର ଲେଫ୍ଟନାଣ୍ଟ ମାନସ କୁମାର ଆଚାର୍ଯ୍ୟ, କର୍ନେଲ୍ ଗ୍ରୁପ୍ କମାଣ୍ଡର୍ ଏନ୍ସିସି ସମ୍ବଲପୁର ଏ ଏସ୍ ଏନ୍ ରାଓ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଏହି କେନ୍ଦ୍ରରେ ଭାରତୀୟ ଆକାଶ ବାହିନୀର ଉଇଙ୍ଗ୍ କମାଣ୍ଡର୍ ଦେବାଶିଷ ମଙ୍ଗରାଜ ନିଯୁକ୍ତି ପାଇଥିବା ଜଣାପଡିଛି। କେନ୍ଦ୍ରରେ ପଶ୍ଚିମ ଓଡିଶାର ସମୁଦାୟ ୧୨ଜିଲାର ୨୩ଶହ ଛାତ୍ରୀଛାତ୍ର ଉଠାଣ, ଡ୍ରିଲ୍, ଆକାଶ ଉପରେ ବିଭିନ୍ନ ସମସ୍ୟା ଓ ତା’ର ସାମାଧନ, ଆକାଶ ଛତା, ଛୋଟ ଉଡାଜାହାଜ ଉଡାଣ ଆଦି ସମ୍ପର୍କରେ ଶିକ୍ଷା ଅର୍ଜନ କରିବେ। ଫଳରେ ଦେଶସେବା, ଜାଗୃତ ନାଗରିକ ଗଠନ ଆଦି ସୁବିଧାସୁଯୋଗ ମିଳିପାରିବ ବୋଲି କର୍ନେଲ ତଥା ଗ୍ରୁପ୍ କମାଣ୍ଡର ରାଓ ତାଙ୍କ ବକ୍ତବ୍ୟରେ କହିଛନ୍ତି। କାର୍ଯ୍ୟକ୍ରମରେ ଏଲ୍ ଏନ୍ କଲେଜର ସ୍ଥଳ ଓ ନୌସେନା ବାହିନୀର ଛାତ୍ରୀଛାତ୍ର ଯୋଗଦେଇଥିଲେ।