Categories: ଖେଳ

ଲର୍ଡସ୍‌ ମ୍ୟାଚ ପରେ ଅବସର ନେଇପାରନ୍ତି ଝୁଲଣ

କୋଲକାତା, ୨୧ା୮: ମହିଳା ଅନ୍ତର୍ଜାତୀୟ କ୍ରିକେଟର, ଅଗ୍ରଣୀ ଉଇକେଟ ହାସଲକାରୀ ଭେଟେରାନ ଭାରତୀୟ ବୋଲର ଝୁଲଣ ଗୋସ୍ବାମୀ ଲଡର୍‌ସଠାରେ ସେପ୍ଟେମ୍ବର ୨୪ରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ତାଙ୍କର ଅବସର ଘୋଷଣା କରିବେ ବୋଲି ଏକ ରିପୋର୍ଟରେ କୁହାଯାଇଛି। ଇଂଲଣ୍ଡ ମହିଳା କ୍ରିକେଟ ଦଳ ବିପକ୍ଷରେ ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ହୋଭ୍‌ (ସେପ୍ଟେମ୍ବର ୧୮), କାଣ୍ଟରବୁରି (ସେପ୍ଟେମ୍ବର ୨୧) ଓ ଲଡର୍‌ସ (ସେପ୍ଟେମ୍ବର ୨୪)ଠାରେ ଖେଳାଯିବ। ଏଥିଲାଗି ୩୯ ବର୍ଷୀୟା ପେସ୍‌ ବୋଲର ୧୭ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଝୁଲଣ ଗତଥର ଭାରତ ତରଫରୁ ଚଳିତବର୍ଷ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ବିଶ୍ୱକପ୍‌ ମ୍ୟାଚ ଖେଳିଥିଲେ। ଝୁଲଣ ଭାରତର ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ ବିଶ୍ୱକପ୍‌ ଗ୍ରୁପ୍‌ ମ୍ୟାଚ ବେଳେ ଆଘାତପ୍ରାପ୍ତ ହୋଇଥିଲେ। ଫଳରେ ତାଙ୍କୁ ଜୁଲାଇରେ ଶ୍ରୀଲଙ୍କା ଟୁର୍‌ରୁ ଓହରିଯିବାକୁ ହୋଇଥିଲା। ରିପୋର୍ଟ ଅନୁସାରେ ଆସନ୍ତା ବର୍ଷ ହେବାକୁଥିବା ମହିଳା ଆଇପିଏଲ୍‌ ଉଦ୍‌ଘାଟନୀ ଉପରେ ଝୁଲଣ ନଜର ରଖିଛନ୍ତି। ଏଥିରେ ସେ ମେଣ୍ଟର ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି। ସେ ପୁରୁଷ ଫ୍ରାଞ୍ଚାଇଜ୍‌ ସହ ଏନେଇ ଯୋଗାଯୋଗରେ ରହିଛନ୍ତି। ୨୦୦୨ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଝୁଲଣ ୨୦୧୮ରେ ଅନ୍ତର୍ଜାତୀୟ ଟି୨୦ରୁ ଅବ୍ୟାହତି ନେଇଥିଲେ। ସେ ତାଙ୍କ ଅନ୍ତିମ ଟେଷ୍ଟ ମ୍ୟାଚ ୨୦୨୧ ଅକ୍ଟୋବରରେ ଖେଳିଥିଲେ।

Share