Categories: ଜାତୀୟ

ହାର୍ଦ୍ଦିକ ନୁହେଁ ଜିଗ୍ନେଶ ହେଲେ କଂଗ୍ରେସର ପୋଷ୍ଟର ବୟ

ଅହମଦାବାଦ,୬।୫: ଗତ କିଛି ଦିନରୁ ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ରାଜ୍ୟ ନେତୃତ୍ୱକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଭାଜପାକୁ ଖୋଲାଖୋଲି ଭାବେ ପ୍ରଶଂସା କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଏହାପରେ ଖୁବ୍‌ଶୀଘ୍ର ହାର୍ଦ୍ଦିକ ପଟେଲ ଭାଜପାରେ ଯୋଗଦେଇପାରନ୍ତି ବୋଲି ଲାଗିରହିଥିବା କଳ୍ପନାଜଳ୍ପନା ଆହୁରି ଜୋର ଧରିଛି। ଅନ୍ୟପଟେ ନିର୍ବାଚନ ବର୍ଷରେ ଯେଉଁଠାରେ ହାର୍ଦ୍ଦିକ ପଟେଲ କଂଗ୍ରେସର ଯୁବ ଚେହେରା ଥିଲେ ବର୍ତ୍ତମାନ ସେଠାରେ ଦଳିତ ନେତା ଜିଗ୍ନେଶ ମେଭାନିଙ୍କୁ କଂଗ୍ରେସ ସ୍ଥାନ ଦେଇଛି। ଜିଗ୍ନେଶ ମେଭାନି ଏବେ କଂଗ୍ରେସର ପୋଷ୍ଟର ବୟ। ସୂଚନାଯୋଗ୍ୟ, ଆସାମ ପୋଲିସ ଜିଗ୍ନେଶ ମେଭାନିଙ୍କୁ ଗିରଫ କରିବା ପରେ କେବଳ ତାଙ୍କ ନିର୍ବାଚନମଣ୍ଡଳୀରେ ନୁହେଁ ବରଂ ସମଗ୍ର ଗୁଜୁରାଟରେ ଏହି ପ୍ରସଙ୍ଗକୁ ମୁଖ୍ୟ କରାଯାଇଛି। କଂଗ୍ରେସ ମାଧ୍ୟମରେ ଏହି ପ୍ରସଙ୍ଗକୁ ଉଠାଇବାକୁ ଉଦ୍ୟମ କରାଯାଉଛି ଯେ, ଦେଶରେ ଗଣତନ୍ତ୍ର ସମାପ୍ତ ହୋଇଛି ଏବଂ ଟୁଇଟ କରିବା ପ୍ରସଙ୍ଗରେ କାହାକୁ ବି ଗିରଫ କରାଯାଇପାରିବ। ସୂଚନା ମୁତାବକ, ୨୦୧୭ର ଜନସାଧାରଣ ବିଜ୍ଞପ୍ତି ଉଲ୍ଲଂଘନ ମାମଲାରେ ଜିଗ୍ନେଶ ମେଭାନିଙ୍କୁ ୩ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଯାହାକି ଜନସାଧାରଣଙ୍କ ମଧ୍ୟରେ ଜିଗ୍ନେଶଙ୍କ ପ୍ରତି ଏକ ସହାନୁଭୂତି ସୃଷ୍ଟି କରିବ। କାରଣ ଏହା ହେଉଛି ପ୍ରଥମ ମାମଲା, ଯେଉଁଥିରେ ଧାରା ୧୪୪ଭାଙ୍ଗିବା କାରଣରୁ ବିଧାୟକଙ୍କୁ ଦଣ୍ଡିତ କରାଯାଇଛି। ଏହି ପ୍ରସଙ୍ଗକୁ ମୁଖ୍ୟ କରି କଂଗ୍ରେସ ଭୋଟ ହାତେଇବ ବୋଲି ଆଶାବାଦୀ ରହିଛି।

Share