ପାକିସ୍ତାନର ଜେହାଦ୍‌ ବିଶ୍ୱବିଦ୍ୟାଳୟ: ନିଜ ଦେଶ ପାଇଁ ସୃଷ୍ଟି କରୁଛି ସମସ୍ୟା

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୨।୧୧: କୁହାଯାଏ ବୁଡ଼ିଗଲା ଗୋଡ଼ ତଳକୁ ତଳକୁ। ଏଭଳି ଅବସ୍ଥା ଏବେ ପାକିସ୍ତାନରେ ଦେଖାଦେଇଛି। ପାକିସ୍ତାନରେ ଗଢ଼ିଉଠିଥିବା ଜେହାଦ୍‌ ବିଶ୍ୱବିଦ୍ୟାଳୟ ଏବେ ଦେଶ ପାଇଁ ସମସ୍ୟା ସୃଷ୍ଟି କରିବାରେ ଲାଗିଛି। ଏହି ଶିକ୍ଷାନୁଷ୍ଠାନରୁ ସୃଷ୍ଟି ହେଉଥିବା ଆତଙ୍କବାଦୀମାନେ ପାକିସ୍ତାନ ଲାଗି ଆତଙ୍କ ପାଲଟିଛନ୍ତି। ଦେଶରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ ଏସବୁ ଶିକ୍ଷାନୁଷ୍ଠାନ ଯୋଗୁ ଦେଖା ଦେଉଛି। ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇ ବିଭିନ୍ନ ଆକ୍ରମଣ କରିବା ଲାଗି ପାକିସ୍ତାନ ଷଡ଼ଯନ୍ତ୍ର ରଚିଥିଲା। ସେଥି ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଜେହାଦ୍‌ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ମାତ୍ର ଏବେ ଏହାଦ୍ୱାରା ଅନ୍ତର୍ଜାତୀୟସ୍ତରରେ ପାକିସ୍ତାନକୁ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶର ମାନ୍ୟତା ମିଳିଛି। ଧୀରେଧୀରେ ବିଭିନ୍ନ ଅନ୍ତର୍ଜାତୀୟ ଆର୍ଥିକ ଅନୁଦାନରୁ ପାକିସ୍ତାନ ବଞ୍ଚିତ ହେବାରେ ଲାଗିଛି। ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇ ଏବେ ପାକିସ୍ତାନର ସ୍ଥିତି ଖରାପ ହେବାରେ ଲାଗିଛି। ପେଶଓ୍ବାରର ପୂର୍ବରେ ଥିବା ଆରୋରା କଟ୍ଟାକ୍‌ଠାରେ ଥିବା ଦାରୁଲ ଉଲମ୍‌ ହାକ୍ୱାନିଆ ସେମିନାରୀ ପାକିସ୍ତାନର ବଡ଼ ଜେହାଦ୍‌ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ହାସଲ କରିଛି। ଏଠାରେ ଶିକ୍ଷାଲାଭ କରିଥିବା ଶିକ୍ଷାର୍ଥୀ ପରବର୍ତ୍ତୀ ସମୟରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ପୂର୍ବଜନ ପ୍ରଧାନମନ୍ତ୍ରୀ ବେନଜିର ଭୁଟୋଙ୍କ ହତ୍ୟା ଘଟଣାରେ ଏହି ଜେହାଦ୍‌ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀ ଆତ୍ମଘାତୀ ବିସ୍ଫୋଣ କରିଥିଲେ। ଏବେ ଭାରତ ସମେତ ଆଫଗାନିସ୍ତାନରେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀ ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ରହିଥିବା ଅଭିଯୋଗ ହେଉଛି। ଏହି ଜେହାଦ୍‌ ବିଶ୍ୱବିଦ୍ୟାଳୟ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରି ପାକିସ୍ତାନ ଜାଣିଶୁଣି ନିଜ ଗୋଡ଼ରେ ଚୋଟ ମାରୁଥିବା ଚର୍ଚ୍ଚା ହେଉଛି।

Share