Categories: ଜାତୀୟ

ଭୋଟରଙ୍କ ପାଇଁ ତିଆରି ହୋଇଥିଲା ଜିଲାପି-ସିଙ୍ଗଡ଼ା: ୧୦ ଗିରଫ

ଲକ୍ଷ୍ନୌ,୧୧।୪: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନେ ଭୋଟରଙ୍କୁ ହାତେଇବା ପାଇଁ ଖାଦ୍ୟ ଦ୍ରବ୍ୟର ସାହାରା ନେଉଛନ୍ତି। କିଛିଦିନ ତଳେ ଅମରୋହାରେ ୧୦୦ କିଲୋଗ୍ରାମ୍‌ ରସଗୋଲା ଜବତ ହୋଇଥିଲା। ଏବେ ଉନ୍ନାଓ୍ବରେ ପୋଲିସ ଚଢ଼ାଉ କରି ୨ କ୍ୱିଣ୍ଟାଲ ଜିଲାପି ଏବଂ ହଜାରେ ୫୦ ସିଙ୍ଗଡ଼ା ଜବତ କରିଛି। ଏହି ମାମଲାରେ ସମ୍ପୃକ୍ତ ଥିବା ୧୦ ଜରଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଗିରଫ କରାଯାଇଛି। ପିଛଓ୍ବାଡ଼ା ଗାଁରେ ମୁଖିଆ ପଦ ପାଇଁ ପ୍ରାର୍ଥୀ ହୋଇଥିବା ରାଜୁ ମୌର୍ଯ୍ୟଙ୍କ ଘରେ ଜିଲାପି ଏବଂ ସିଙ୍ଗଡ଼ା ତିଆରି କରାଯାଉଥିବା ଅଭିଯୋଗ ହୋଇଥିଲା। କରୋନା ମାର୍ଗଦର୍ଶିକା ଉଲ୍ଲଂଘନ କରି ରାଜୁଙ୍କ ଘରେ ବହୁ ସଂଖ୍ୟକ ଭୋଟର ଏକତ୍ରିତ ହୋଇଥିଲେ। ସେମାନଙ୍କ ଭୋଟ ହାତେଇବା ଲାଗି ସିଙ୍ଗଡ଼ା ସହିତ ଜିଲାପି ପ୍ୟାକେଟ ବଣ୍ଟା ଯାଉଥିଲା। ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିବା ହସନଗଞ୍ଜ ସିଓ ଆର୍‌.କେ. ଶୁକ୍ଳା ସୂଚନା ଦେଇଛନ୍ତି। ଏହା ସହିତ ଘଟଣାସ୍ଥଳରୁ ମଇଦା, ଘିଅ, ଗ୍ୟାସ ସିଲିଣ୍ଡର ଆଦି ଜବତ କରାଯାଇଥିବା ସେ କହିଛନ୍ତି। ପୂର୍ବରୁ ଆମରୋହା ଜିଲାର ରୁଖାଲୁ ଗାଁରେ ମୁଖିଆ ପଦ ପାଇଁ ପ୍ରାର୍ଥୀ ହୋଇଥିବା ଚନ୍ଦ୍ରସେନ ନାମକ ଜଣେ ବ୍ୟକ୍ତି ରସଗୋଲା ବାଣ୍ଟୁଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସୋହନବୀର ନାମକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

Share