Categories: ଜାତୀୟ

୪ ମାସ ତଳେ ମାରି ପୋତି ଦେଇଥିଲେ ଜିମ୍‌ ଟ୍ରେନର

ନୂଆଦଲ୍ଲୀ,୨୮।୧୦: ଉତ୍ତରପ୍ରଦେଶର କାନପୁର ଜିଲାପାଳଙ୍କ ବଙ୍ଗଳା ନିକଟରୁ ଜଣେ ମହିଳାଙ୍କ ମୃତଦେହ ମିଳିଛି। ମହିଳା ଜଣକ ୪ ମାସ ହେଲା ନିଖୋଜ ଥିଲେ। ତାଙ୍କୁ ହତ୍ୟା କରିବା ପରେ ସେଠାରେ ପୋତିଦିଆଯାଇଥିଲା। ଗ୍ରୀନ୍‌ପାର୍କ ଅଞ୍ଚଳର ଜିମ୍‌ ଟ୍ରେନର ବିମଳ ସୋନି ମହିଳାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ସରକାରୀ ଅଫିସରମାନଙ୍କ ବଙ୍ଗଳା ନିକଟରେ ପୋତିଥିବା ପୋଲିସ ଜେରାବେଳେ ସ୍ବୀକାର କରିଛନ୍ତି। କାନପୁର ରାଇପୁରଓ୍ବା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସୂଚନା କ୍ରମେ ମାଟି ଖୋଳାଯାଇ ମୃତଦେହକୁ ବାହାର କରାଯାଇଥିଲା। ମହିଳା ଜଣକ ଜଣେ ବ୍ୟବସାୟୀଙ୍କ ସ୍ତ୍ରୀ। ସେ ଜୁନ୍‌ ୨୪ରୁ ନିଖୋଜ ଥିଲେ ଏବଂ ତଦନ୍ତରୁ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ଅପହରଣ ଏବଂ ହତ୍ୟା ଅଭିଯୋଗରେ କୋଟଓ୍ବାଲି ପୋଲିସ ଜିମ୍‌ ଟ୍ରେନରଙ୍କୁ ଗିରଫ କରିଛି। ଡିସିପି ଶ୍ରବଣକୁମାର ସିଂଙ୍କ କହିବା ଅନୁଯାୟୀ, ମହିଳା ଜଣକ ଟ୍ରେନିଂ ଦେବା ପାଇଁ ଅଭିଯୁକ୍ତଙ୍କ ଜିମ୍‌କୁ ଆସୁଥିଲେ। ତେବେ କୌଣସି କାରଣରୁ ଅଭିଯୁକ୍ତଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହା ପରେ ଅଭିଯୁକ୍ତ ମହିଳାଙ୍କୁ କାର୍‌ରେ ନେଇଯାଇ ହତ୍ୟା କରିବା ପରେ ମୃତଦେହକୁ ଉକ୍ତ ଭିଭିଆଇପି ଅଞ୍ଚଳରେ ପୋତିଦେଇଥିଲେ।

Share