ସାମ୍ବାଦିକତା କ୍ଷେତ୍ରରେ ରାଜ୍ୟର ଜଣେ ପରିଚିତ ଚେହେରା ଜୀମୂତ ମଙ୍ଗରାଜ

ଭୁବନେଶ୍ୱର,(ବ୍ୟୁରୋ)/ଯାଁଳା, ୨୮ା୬(ଡି.ଏନ୍‌.ଏ.): ବରିଷ୍ଠ ସାମ୍ବାଦିକ, ଲେଖକ ତଥା ସ୍ତମ୍ଭକାର ଜୀମୂତ ବାହନ ମଙ୍ଗରାଜ (୬୪)ଙ୍କ ରବିବାର ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ସେ ସ୍କୁଟିରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିବା ସମୟରେ ୧୬ନଂ. ଜାତୀୟ ରାଜପଥର ଯାଁଳା ମେଡିକାଲ ଛକ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ସ୍କୁଟି ସହ ଗାଡ଼ି ତଳେ ପଶିଯାଇଥିଲେ। ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଯାଁଳା ଫାଣ୍ଡିକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ଏମ୍‌ସରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଗାଡ଼ି ଚିହ୍ନଟ ପାଇଁ ଉଦ୍ୟମ ଚଳାଇଛି।
ସୂଚନା ଅନୁଯାୟୀ, ଜୀମୂତ ଭୁବନେଶ୍ୱରରେ ରହୁଥିବାବେଳେ ମା’ଙ୍କୁ ମେଡିସିନ ଦେବାକୁ ନିଜ ଗାଁ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ସରପାରିକୁ ଯାଇଥିଲେ। ରବିବାର ସନ୍ଧ୍ୟାରେ ସେ ଗାଁରୁ ଭୁବନେଶ୍ୱର ଫେରୁଥିବାବେଳେ ରାତି ପ୍ରାୟ ୯ଟାରେ ଦୁର୍ଘଟଣାର ଶିକାର ହୋଇଥିଲେ। ଜୀମୂତ ସାମ୍ବାଦିକତା କ୍ଷେତ୍ରରେ ରାଜ୍ୟର ଜଣେ ପରିଚିତ ଚେହେରା। ସାମ୍ବାଦିକତା, ଗଣ ଯୋଗାଯୋଗ ଏବଂ ସମାଜ ସେବା କ୍ଷେତ୍ରରେ ସେ ଗବେଷଣା କରି ତିନୋଟିରେ ଡକ୍ଟରେଟ ଡିଗ୍ରୀ ପାଇଥିଲେ। ସେ ବହୁ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ‘ମୁହାଁମୁହିଁ’, ‘ବିଜୁ ବିଜୁ ବିଜୁ’ ଭଳି ପୁସ୍ତକ ବେଶ୍‌ ଆଦୃତ ହୋଇଥିଲା। ତାଙ୍କର ବହୁ ରାଜନୈତିକ ଲେଖା ଚର୍ଚ୍ଚାକୁ ଆସିଥିବାବେଳେ ତାଙ୍କ ଦ୍ୱାରା ଦୁଇଟି ସାପ୍ତାହିକ ଖବରକାଗଜ ପ୍ରକାଶ ପାଉଛି। କିଛିବର୍ଷ ପୂର୍ବରୁ ତାଙ୍କ ସହଧର୍ମିଣୀ ସାମ୍ବାଦିକା ତଥା ଲେଖିକା ଜ୍ୟୋତ୍ସ୍ନା ରାଉତରାୟଙ୍କ ପରଲୋକ ଘଟିଥିଲା। ଜୀମୂତଙ୍କ ମୃତ୍ୟୁ ଖବର ପାଇବା ପରେ ସାମ୍ବାଦିକଙ୍କ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Share