Categories: ଜାତୀୟ

ଜିନ୍ଦଲ, ହିଣ୍ଡାଲ୍‌କୋକୁ ମିଳିଲା ଓଡ଼ିଶାର ୨ କୋଲ୍‌ ବ୍ଲକ୍‌

ନୂଆଦିଲ୍ଲୀ,୧୨ା୨: ବ୍ୟବସାୟିକ ବ୍ୟବହାର ପାଇଁ କୋଲ୍‌ ବ୍ଲକ୍‌ ନିଲାମିର ଦ୍ୱିତୀୟ ଓ ତୃତୀୟ ଦିନରେ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାରକୁ ଓଡ଼ିଶାର ଉତ୍କଳ-ସି କୋଇଲା ଖଣି ମିଳିଥିବାବେଳେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ମୀନାକ୍ଷୀ ଖଣି ପାଇଁ ସର୍ବୋଚ୍ଚ ବିଡିଂ କରିଛି। ସେହିପରି ବିଏସ୍‌ ଇସ୍ପାତ୍‌ ଲିମିଟେଡ୍‌ ମହାରାଷ୍ଟ୍ରର ମାଜ୍‌ରା ଖଣି ନେବା ପାଇଁ ସବୁଠୁ ବଡ଼ ବିଡର ଭାବେ ଉଭା ହୋଇଛି। ଆସାମ ମିନେରାଲ ଡେଭେଲପ୍‌ମେଣ୍ଟ କର୍ପୋରେଶନକୁ ଆସାମର ଗରମପାଣି କୋଲ୍‌ ବ୍ଲକ୍‌ ମିଳିଛି। ଅରୁଣାଚଳ ପ୍ରଦେଶର ନାମ୍‌ଫୁକ୍‌ ଖଣି ପାଇଁ ହୋଇଥିବା ଇ-ଅକ୍ସନ ପ୍ରକ୍ରିୟା ଶୁକ୍ରବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା ବୋଲି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ ସୂଚନା ଦିଆଯାଇଛି।
କେନ୍ଦ୍ର ସରକାର କମର୍ସିଆଲ କୋଲ୍‌ ମାଇନିଂର ତୃତୀୟ ପର୍ଯ୍ୟାୟରେ ୧୦ଟି କୋଇଲା ଖଣି ନିଲାମ ପାଇଁ ପ୍ରସ୍ତାବ ରଖିଥିଲେ। ଫେବୃୟାରୀ ୯-୧୦ରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଇ-ଅକ୍ସନ ବେଳେ ୫ଟି କୋଇଲା ଖଣି ନିଲାମ କରାଯାଇଥିଲା। ଏହି ୫ ଖଣିରେ ମୋଟ ୫୨୮.୦୫୧ ନିୟୁତ ଟନ୍‌ କୋଇଲା ମହଜୁଦ ରହିଛି। ଉକ୍ତ ଖଣିଗୁଡ଼ିକର କ୍ୟୁମୁଲେଟିଭ୍‌ ପିକ୍‌ ରେଟେଡ୍‌ କାପାସିଟି (ପିଆର୍‌ସି) ହେଉଛି ବାର୍ଷିକ ୧୬.୭ ନିୟୁତ ଟନ୍‌। ଗତ ୮ ତାରିଖରେ ନିଲାମିର ପ୍ରଥମ ଦିନ ୫ ବ୍ଲକ୍‌ ଆବଣ୍ଟନ କରାଯାଇଥିଲା। ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ୍‌ ଝାଡ଼ଖଣ୍ଡର ଦୁଇଟି କୋଲ୍‌ ବ୍ଲକ୍‌କୁ ସର୍ବୋଚ୍ଚ ଦରରେ ନେବା ପାଇଁ ବିଡିଂ କରିଥିଲା। ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ଓଡ଼ିଶାର ଗୋଟିଏ ବ୍ଲକ୍‌ ପାଇଁ ସର୍ବାଧିକ ଅର୍ଥ ପଇଠ କରିବାକୁ ବିଡିଂ କରିଥିବାବେଳେ ୟାଜ୍‌ଦାନି ଷ୍ଟିଲ୍‌ ଆଣ୍ଡ ପାଓ୍ବାର ରାଜ୍ୟର ଅନ୍ୟ ଏକ ଖଣି ପାଇଁ ହାଇଏଷ୍ଟ ବିଡର୍‌ ଥିଲା।

Share