Categories: ବାଣିଜ୍ୟ

କପ୍‌-୨୮ରେ ଜିନ୍ଦଲ ଷ୍ଟେନ୍‌ଲେସ୍‌

ଭୁବନେଶ୍ୱର, ୯।୧୨ (ଅଭୟ ଦାଶ): ପ୍ରଥମ ଥର ପାଇଁ ଜାତିସଂଘର କନ୍‌ଫେଡେରେଶନ ଅଫ୍‌ ପାର୍ଟିଜ୍‌ ବା କପ୍‌-୨୮ରେ ଭାରତର ସର୍ବବୃହତ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ଅଂଶ ଗ୍ରହଣ କରିଛି। ଏପରିକି ପ୍ରଥମ ଥର ପାଇଁ ମିଳିତ ଜାତିସଂଘର କପ୍‌-୨୮ ଜଳବାୟୁ ସମ୍ମିଳନୀରେ କମ୍ପାନୀ ଭାଗନେଇ ଉଭୟ ପରିବେଶ ସୁରକ୍ଷା ଓ ଡିକାର୍ବୋନାଇଜେଶନ ପ୍ରୟାସ ଉପରେ ବିସ୍ତୃତ ଆଲୋକପାତ କରାଯାଇଥିଲା। ଏପରିକି ୫୦% କାର୍ବନ ନିର୍ଗମନ ହ୍ରାସର ମଧ୍ୟ-ମିଆଦୀ ଲକ୍ଷ୍ୟକୁ କମ୍ପାନୀ ୨୦୩୫ ର ଯଥେଷ୍ଟ ପୂର୍ବରୁ ହାସଲ କରିବାକୁ ସ୍ଥିର କରିଛି ବୋଲି ଜିନ୍ଦଲ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି। ଅପରପକ୍ଷରେ ଇସ୍ପାତ ମନ୍ତ୍ରଣାଳୟ ଦ୍ୱାରା ନିମନ୍ତ୍ରିତ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ଦୁବାଇର ଇଣ୍ଡିଆ ପାଭିଲିଅନଠାରେ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ପାଶର୍‌ବ କାର୍ଯ୍ୟକ୍ରମରେ କମ୍ପାନୀର ଡିକାର୍ବୋନାଇଜେଶନ ପଦକ୍ଷେପଗୁଡ଼ିକ ପ୍ରଦର୍ଶନ କରିଥିଲା।
ବିଶେଷକରି ଶକ୍ତି, ଶିଳ୍ପ, ଟ୍ରାନ୍ସମିସନ୍‌, ଆଦିମ ଜନଜାତିର ବିଷୟବସ୍ତୁ ଦିବସ ସହିତ ସମକକ୍ଷ ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମର ୬ଷ୍ଠ ଦିବସରେ ‘କାର୍ବନମୁକ୍ତ ଭବିଷ୍ୟତ: ଭାରତୀୟ ଇସ୍ପାତ କ୍ଷେତ୍ରର ରୂପାନ୍ତରଣ’ ଶୀର୍ଷକ କାର୍ଯ୍ୟକ୍ରମ ପାଇଁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ନୋଡାଲ ମନ୍ତ୍ରଣାଳୟ ଭାବେ ନିଯୁକ୍ତ କରାଯାଇଥିଲା।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, କପ୍‌-୨୮ କାର୍ଯ୍ୟକ୍ରମ ପାଇଁ ଭାରତ ସରକାରଙ୍କ ଦ୍ୱାରା ଆମନ୍ତ୍ରିତ ହୋଇଥିବାରୁ ଆମେ ନିଜକୁ ଭାଗ୍ୟବାନ୍‌ ମନେକରୁଛୁ। ଆମର ଡିକାର୍ବୋନାଇଜେଶନ ପ୍ରୟାସକୁ ନେଇ ଆମେ ଗର୍ବିତ ଏବଂ ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ଭାଗନେଇ ନିଜର ପ୍ରତିବଦ୍ଧତାକୁ ନିଶ୍ଚିତ କରୁଛୁ। ପ୍ରତିବର୍ଷ ୧୫ଲକ୍ଷ ଟନ୍‌ କାର୍ବନ ନିର୍ଗମନ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବିଭିନ୍ନ ସ୍ଥିରତା ପ୍ରକଳ୍ପରେ ଆମେ ୭୦୦କୋଟି ଟଙ୍କା ବିନିଯୋଗ କରୁଛୁ।

Share