ପାଟନା, ୧୪।୧୧: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କିଛିଦିନ ପୂର୍ବରୁ ଦେଶ ବିଭାଜନକାରୀ ମହମ୍ମଦ ଅଲି ଜିନ୍ନାଙ୍କୁ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ଜବାହରଲାଲ୍ ନେହେରୁଙ୍କ ଭଳି ନେତାଙ୍କ ସହ ତୁଳନା କରି ସମାଲୋଚିତ ହୋଇଥିଲେ। ଏବେ ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ଜଣେ ନେତା ଜିନ୍ନାଙ୍କୁ ମହାନ ସ୍ବାଧୀନତା ସଂଗ୍ରାମୀ କହି ବିବାଦ ଘେରକୁ ଆସିଛନ୍ତି। ବିହାର ବିଧାନ ପରିଷଦର ଜେଡିୟୁ ସଦସ୍ୟ ଖଲିଦ ଅନଓ୍ବର ପାକିସ୍ତାନର ପ୍ରତିଷ୍ଠାତା ଜିନ୍ନାଙ୍କୁ ମହାନ ସ୍ବାଧୀନତା ସଂଗ୍ରାମୀ କହିବା ସହ ଦେଶ ବିଭାଜନ ପାଇଁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ଦାୟୀ କରିଥିଲେ। ଏହା ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ ନୁହେଁ ବରଂ ଦଳର ଆଭିମୁଖ୍ୟ ବୋଲି ଖଲିଦ କହିଥିଲେ। ତାଙ୍କର ଏଭଳି ମନ୍ତବ୍ୟକୁ ଭାଜପା ସମାଲୋଚନା କରିବା ସହ ଜେଡିୟୁ ନେତା ପାକିସ୍ତାନ ଚାଲିଯାଆନ୍ତୁ ବୋଲି କହିଛି।