ନେପାଳକୁ ଟିମ୍‌ ପଠାଇଲେ ଜିନ୍‌ପିଙ୍ଗ୍‌

ନୂଆଦିଲ୍ଲୀ, ୨୭।୧୨: ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଦେଶର ପାର୍ଲାମେଣ୍ଟ ଭଙ୍ଗ କରି ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଘୋଷଣା କରିବା ପରେ ଶାସକ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନ୍‌ସିପି) ବିଭାଜନ ଆଡ଼କୁ ମୁହାଁଉଛି। ଯେକୌଣସି ସ୍ଥିତିରେ ନେପାଳରେ କମ୍ୟୁନିଷ୍ଟ ଶାସନ ଚାହୁଁଥିବା ଚାଇନା ଦଳ ବିଭାଜନ ରୋକିବାକୁ ପ୍ରୟାସ ଜାରି ରଖିଛି। ଏଥିପାଇଁ ଉଦ୍ୟମ କରି ଚାଇନା ରାଷ୍ଟ୍ରଦୂତ ହୁ ୟାନ୍‌କି ବିଫଳ ହେବା ପରେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ତାଙ୍କ ଦଳର ଏକ ଉଚ୍ଚ କ୍ଷମତାସମ୍ପନ୍ନ ଟିମ୍‌କୁ କାଠମାଣ୍ଡୁ ପଠାଇଛନ୍ତି। ଚାଇନା କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରୀୟ କମିଟିର ଅନ୍ତର୍ଜାତୀୟ ବିଭାଗ ଭାଇସ୍‌ ମିନିଷ୍ଟର ଥିବା ଗୁଓ ୟେଚାଉଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ରବିବାର କାଠମାଣ୍ଡୁରେ ପହଞ୍ଚତ୍ ସେଠାରେ ୪ ଦିନ ରହିବ। ରାଷ୍ଟ୍ରଦୂତ ହୋଉ ନେପାଳ ଶାସକ ଦଳର ପ୍ରମୁଖ ନେତାମାନଙ୍କ ସହ ସେମାନଙ୍କର ବୈଠକ ଲାଗି କାର୍ଯ୍ୟସୂଚୀ ସ୍ଥିର କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଓଲି ଚାଇନା ପ୍ରତିନିଧି ଦଳଙ୍କୁ ଭେଟିବେ କି ନାହିଁ ଜଣାପଡ଼ିନି। ପୂର୍ବରୁ ସେ ରାଷ୍ଟ୍ରଦୂତଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

Share