Categories: ବାଣିଜ୍ୟ

ଗଣେଶ ପୂଜାରେ ଜିଓ ଏୟାର ଫାଇବର

ନୂଆଦିଲ୍ଲୀ,୨୯।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ (ଆରଆଇଏଲ୍‌)ର ୪୬ ତମ ସାଧାରଣ ପରିଷଦ ବୈଠକ (ଏଜିଏମ) ସୋମବାର ମୁମ୍ବାଇଠାରେ ଆୟୋଜିତ ହୋଇଯାଇଛି। ଉକ୍ତ ବୈଠକରେ ଆରଆଇଏଲର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଅନେକ ନୂଆ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। ବିଶେଷ କରି କମ୍ପାନୀ ଚଳିତ ବର୍ଷ ଗଣେଶ ପୂଜା (ସେପ୍ଟେମ୍ବର-୧୯)ରେ ଜିଓ ଏୟାର ଫାଇବରର ଆନୁଷ୍ଠାନିକ ଶୁଭାରମ୍ଭ ହେବ ବୋଲି ମୁକେଶ ମତପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହାଦ୍ବାରା ଗ୍ରାହକମାନେ ବିନା ଓ୍ବୟାରଲେସ୍‌ (ତାର)ରେ ହାଇସ୍ପିଡ୍‌ ବ୍ରଡବ୍ୟାଣ୍ଡ୍‌ ସର୍ଭିସ୍‌ ପାଇପାରିବେ। ଏପରିକି ଯେଉଁଠାରେ ଫାଇବର ଅପଟିକ ପହଞ୍ଚିନାହିଁ, ଗ୍ରାହକମାନେ ସେଠାରେ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସେବା ପାଇପାରିବେ। ସେହିଭଳି ୫ଜି ନେଟଓ୍ବର୍କ ଜରିଆରେ ଉକ୍ତ ସେବା ଦେଶବାସୀଙ୍କୁ ଯୋଗାଇଦିଆଯିବ ବୋଲି ଅମ୍ବାନୀ ମତବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଜିଓ ପାଖରେ ୫ କୋଟିରୁ ଅଧିକ ଗ୍ରାହକ ଥିଲାବେଳେ ଆଗାମୀ ଏହି ସଂଖ୍ୟା ଆହୁରି ବଢିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଅପରପକ୍ଷରେ କମ୍ପାନୀ ଗତ ୧୦ବର୍ଷ ମଧ୍ୟରେ ମୋଟ ୧୫୦ ବିଲିୟନ ଡଲାର ନିବେଶ କରିଛି, ଏହି ସ୍ବଳ୍ପ ଅବଧି ମଧ୍ୟରେ କୌଣସି କମ୍ପାନୀ ଦ୍ୱାରା ଏହା ସର୍ବାଧିକ ପୁଞ୍ଜିନିବେଶ ବୋଲି ଅମ୍ବାନୀ କହିଛନ୍ତି।

Share