Categories: ବାଣିଜ୍ୟ

ସୋଆରୁ ଜିଓର ଟ୍ରୁ-୫ଜି କ୍ୟାମ୍ପସ୍‌ ଅଭିଯାନ

ଭୁବନେଶ୍ୱର, ୨୪।୮: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଟ୍ରୁ-୫ଜି କ୍ୟାମ୍ପସ ଅଭିଯାନର ସର୍ବଭାରତୀୟ ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା କ୍ଷେତ୍ର ପକ୍ଷରୁ ବୁଧବାର ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟ ପରିସରରୁ ଉକ୍ତ ଅଭିଯାନର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ସୋଆ ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ ପ୍ରତିଷ୍ଠାନ ଅଡିଟୋରିୟମଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଓ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ୫ଜି ସେବା ସମ୍ପର୍କିତ ବିଭିନ୍ନ ସୂଚନା ଓ ବ୍ୟବହାରିକ ପ୍ରୟୋଗ ପ୍ରଦର୍ଶନ କରାଯାଇଥିଲା।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ରିଲାଏନ୍ସ ଜିଓର ଓଡ଼ିଶା ମୁଖ୍ୟ ପ୍ରଦୀପ ରାଉତ, ସୋଆ ଫାକଲ୍ଟି ଅଫ୍‌ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍‌ର ଡିନ୍‌ ପ୍ରଫେସର ସନ୍ତୋଷ କୁମାର ରାଉତ, ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏକାଧିକ ୫ଜି ନେଟ୍‌ୱର୍କ ସାଇଟ୍‌ ସ୍ଥାପନ କରାଯାଇଛି। ଅପରପକ୍ଷରେ ଜିଓ ଟ୍ରୁ-୫ଜିର ଶୁଭାରମ୍ଭ ଦ୍ରୁତଗତିରେ ଆଗେଇ ଚାଲିଥିବା ବେଳେ ଶିକ୍ଷା କ୍ଷେତ୍ରରେ ଟ୍ରୁ-୫ଜିର ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକରେ ଜିଓ ଟ୍ରୁ-୫ଜିର ରୂପାନ୍ତରଣ ଯାତ୍ରାର ଶୁଭାରମ୍ଭ କରାଯାଇଛି।

 

Share