Categories: ବାଣିଜ୍ୟ

ଜିଓର ପ୍ରଥମ ପର୍ଯ୍ୟାୟ ସେବା ପରୀକ୍ଷଣ

ଭୁବନେଶ୍ୱର,୧୦।୮: ଓଡ଼ିଶାରେ ରିଲାଏନ୍ସ ଜିଓର ୫ଜି ସେବା ଜାରି ରହିଥିବାବେଳେ ଦ୍ରୁତ ଗତିରେ ଉକ୍ତ ସେବାର ସମ୍ପ୍ରସାରଣ କରାଯାଉଛି। ବିଶେଷକରି ରିଲାଏନ୍ସ ଜିଓର ୫ଜି ସାଇଟ୍‌ରେ ୨୬ ଗିଗାହର୍ଜ ଓ ୩୩୦୦ମେଗାହର୍ଜର ପ୍ରଥମ ପର୍ଯ୍ୟାୟ ସେବା ପରୀକ୍ଷଣ ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ଓଡ଼ିଶା ଲାଇସେନ୍ସ ସର୍ଭିସ୍‌ ଅଞ୍ଚଳ (ଏଲ୍‌ଏସ୍‌ଏ) ପକ୍ଷରୁ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଏଲ୍‌ଏସ୍‌ଏର ଡେପୁଟି ଡାଇରେକ୍ଟର ଜେନେରାଲ ଅନିଲ କୁମାର ସୁବୁଦ୍ଧି, ନିର୍ଦ୍ଦେଶକ ଚନ୍ଦ୍ର ପ୍ରକାଶ ଯାଦବ ଓ ଏଡିଜି ଚିତ୍ତରଞ୍ଜନ ଦେବତାଙ୍କ ସମେତ ଟେଲିକମ୍‌ ବିଭାଗର ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍‌ ଦ୍ୱାରା ଏହି ପରୀକ୍ଷଣ କରାଯାଇଥିଲା। ସେହିଭଳି ଏହି କାର୍ଯ୍ୟକ୍ରମର ଅଂଶ ସ୍ବରୂପ ୨୦୨୩ ଅଗଷ୍ଟ ୯ରେ ରିଲାଏନ୍ସ ଜିଓକୁ ଆବଣ୍ଟନ କରାଯାଇଥିବା ୨୬ଗିଗାହର୍ଜ ବ୍ୟାଣ୍ଡ୍‌ ୫ଜି ସାଇଟ୍‌ର ପ୍ରଥମ ପର୍ଯ୍ୟାୟ ସେବା ପରୀକ୍ଷଣ ଭୁବନେଶ୍ୱରଠାରେ କରାଯାଇଥିବା ନେଇ ଟେଲିକମ୍‌ ବିଭାଗର ଓଡ଼ିଶା ଏଲ୍‌ଏସ୍‌ଏ ପକ୍ଷରୁ ଟୁଇଟ୍‌ ଜରିଆରେ ସୂଚିତ କରାଯାଇଥିଲାବେଳେ ୨୬ଗିଗାହର୍ଜ ଜିଓ ନେଟ୍‌ୱର୍କର ପରୀକ୍ଷଣ ସମୟରେ ସର୍ବାଧିକ ୫ଜି ସ୍ପିଡ୍‌ ୧.୨ଜିବିପିଏସ୍‌ ରହିଥିଲା। ସେହିପରି ଅନ୍ୟ ଏକ ଟୁଇଟ୍‌ରେ ଓଡ଼ିଶା ଏଲ୍‌ଏସ୍‌ଏ ପକ୍ଷରୁ ସୂଚନା ଦିଆଯାଇଛି। ରିଲାଏନ୍ସ ଜିଓକୁ ଆବଣ୍ଟନ କରାଯାଇଥିବା ୩୩୦୦ ମେଗାହର୍ଜ ବ୍ୟାଣ୍ଡ ୫ଜି ସାଇଟ୍‌ର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ୨୦୨୩ ଅଗଷ୍ଟ ୮ରେ ପୁରୀ ଜିଲାର ପିପିଲିଠାରେ କରାଯାଇଥିଲା। ଏହି ପରୀକ୍ଷଣ ବେଳେ ୩୩୦୦ ମେଗାହର୍ଜ ବ୍ୟାଣ୍ଡ ୫ଜି ନେଟ୍‌ୱର୍କର ସ୍ପିଡ୍‌ ୮୨୦ ଏମ୍‌ବିପିଏସ୍‌ ରହିଥିଲା। ଅପରପକ୍ଷରେ ରିଲାଏନ୍ସ ଜିଓ ଦ୍ରୁତଗତିରେ ୫ଜି ନେଟ୍‌ୱର୍କର ସମ୍ପ୍ରସାରଣ କରୁଛି ଏବଂ ଏହା ହେଉଛି ଓଡ଼ିଶାର ଏକମାତ୍ର ଟେଲିକମ୍‌ ଅପରେଟର ଯାହାର ୫ଜି ନେଟ୍‌ୱର୍କ ରାଜ୍ୟର ସମସ୍ତ ଜିଲାରେ ଉପଲବ୍ଧ।

 

Share