Categories: ବାଣିଜ୍ୟ

ଜିଓର ‘ଜିଓଟିଭି ପ୍ରିମିୟମ ପ୍ଲାନ୍ସ’ ଉନ୍ମୋଚିତ

ଭୁବନେଶ୍ୱର,୧୬।୧୨ :ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ‘ଜିଓଟିଭି ପ୍ରିମିୟମ ପ୍ଲାନ୍ସ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ନୂଆ ବର୍ଷ ପୂର୍ବରୁ ଜିଓ ତା’ର ଗ୍ରାହକଙ୍କ ପାଇଁ ମନୋରଞ୍ଜନର ବ୍ୟାପକ ସମ୍ଭାର ଆଣିଦେଇଛି। ଏପରିକି ଜିଓ ଟିଭି ପ୍ରିମିୟମ ପ୍ଲାନ୍ସ ନାମରେ ମାଗଣା ଓଟିଟି ଆପ୍‌
ସବ୍‌ସ୍କ୍ରିପଶନ ସହ କମ୍ପାନୀ ୩ ନୂଆ ମୋବାଇଲ ପ୍ଲାନ୍‌ର ଶୁଭାରମ୍ଭ ମଧ୍ୟ କରିଛି। ଉକ୍ତ ପ୍ଲାନ୍‌ଗୁଡିକ ଜରିଆରେ ଗ୍ରାହକ ଜିଓସିନେମା ପ୍ରିମିୟମ, ଡିଜନି ପ୍ଲସ୍‌ ହଟ୍‌ଷ୍ଟାର, ଜି୫, ସୋନି-ଲିଭ ଭଳି ଜାତୀୟସ୍ତରର ଓଟିଟି ଏବଂ ପ୍ରାଇମ ଭିଡିଓ (ମୋବାଇଲ), ଲାୟନ୍ସଗେଟ୍‌ ପ୍ଲେ, ଡିସ୍‌କଭରି ପ୍ଲସ୍‌, ଡକୁ-ବେ ଭଳି ଅନ୍ତର୍ଜାତୀୟ ଓଟିଟି ସବ୍‌ସ୍କ୍ରିପଶନ ସହ ସନ୍‌ ନେକ୍ସଟ, ହୋଇଚୋଇ, ପ୍ଲାନେଟ୍‌ ମରାଠୀ, ଚୌପାଲ, ଏପିକଅନ୍‌ ଓ କଞ୍ଚାଲଙ୍କା ଭଳି ଲୋକପ୍ରିୟ ଆଞ୍ଚଳିକ ଓଟିଟି ଆପ୍‌ ସମେତ ପ୍ରାୟ ୧୪ଟି ଓଟିଟି ଆପ୍‌ ସବ୍‌ସ୍କ୍ରିପଶନ୍‌ ବିନା କୌଣସି ଅତିରିକ୍ତ ମୂଲ୍ୟରେ ପାଇପାରିବେ ବୋଲି ଜିଓ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଓଟିଟି ଆପ୍‌ ଜରିଆରେ ଜାତୀୟ, ଅନ୍ତର୍ଜାତୀୟ ଓ ଆଞ୍ଚଳିକ ଭାଷାର ବିଷୟବସ୍ତୁ ଦେଖିବାକୁ ମିଳିବ। ଉକ୍ତ ପ୍ଲାନ୍‌ ସହ ଯୋଡ଼ିହୋଇଥିବା ତଥା ମାଗଣାରେ ଉପଲବ୍ଧ ହେଉଥିବା ଓଟିଟି ଆପ୍‌ଗୁଡ଼ିକର ସବ୍‌ସ୍କ୍ରିପଶନ ମୂଲ୍ୟ ପ୍ରାୟ ୧୦୦୦ ଟଙ୍କା ରହିଛି। ସେହିପରି ୩୯୮ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକଙ୍କୁ ୧୨ଟି ଓଟିଟି ଆପ୍‌ ମିଳୁଥିବାବେଳେ ୧୧୯୮ ଟଙ୍କା ଏବଂ ୪୪୯୮ଟଙ୍କାର ପ୍ଲାନ୍‌ରେ ୧୪ଟି ଓଟିଟି ଆପ୍‌ ମାଗଣାରେ ମିଳିବ। ପ୍ରତ୍ୟେକ ପ୍ଲାନ୍‌ରେ ଗ୍ରାହକଙ୍କୁ ପ୍ରତିଦିନ ୨ଜିବି ହାଇସ୍ପିଡ୍‌ ଡାଟା ମିଳିବ। ଏପରିକି ୩୯୮ ଟଙ୍କିଆ ପ୍ଲାନ୍‌ର ବୈଧତା ୨୮ଦିନ ରହିଥିବା ବେଳେ ୧୧୯୮ଟଙ୍କିଆ ପ୍ଲାନ୍‌ର ବୈଧତା ୮୪ ଦିନ ଏବଂ ୪୪୯୮ଟଙ୍କିଆ ପ୍ଲାନ୍‌ ବୈଧତା ୩୬୫ ଦିନ ରହିଛି। ଅପରପକ୍ଷରେ ଗ୍ରାହକ ଜିଓଟିଭି ପ୍ରିମିୟମ ପ୍ଲାନ୍‌ ରିଚାର୍ଜ କଲେ ଅଲଗା ଅଲଗା ଏକାଧିକ ଓଟିଟି ସବ୍‌ସ୍କ୍ରିପଶନ କିଣିବାର ସମସ୍ୟା ଦୂର ହେବ। ଜିଓଟିଭି ଆପ୍‌ରେ ସାଇନ୍‌ ଇନ୍‌ କରିବା ପରେ ଓଟିଟି ଆପ୍‌ ପାଇଁ ଅଲଗା ଲଗ ଇନ୍‌ ଓ ପାସ୍‌ୱାର୍ଡ ବନାଇବା ଓ ମନେରଖିବାର ଆବଶ୍ୟକତା ପଡ଼ିବ ନାହିଁ। ବିଶେଷକରି ୪୪୯୮ଟଙ୍କାର ବାର୍ଷିକ ପ୍ଲାନ୍‌ରେ ୱାନ୍‌ କ୍ଲିକ୍‌ କଷ୍ଟମର କେୟାର କଲ୍‌ ବ୍ୟାକ୍‌ ସୁବିଧା ମଧ୍ୟ ଉପଲବ୍ଧ ରହିଛି।

Share