ମହିଳାଙ୍କ ବୁଲିବା ଉପରେ ପାକିସ୍ତାନରେ କଟକଣା ଦାବି କଲା ଜିରଗା ପରିଷଦ…

ଇସଲାମାବାଦ,୧୮।୭: ପାକିସ୍ତାନରେ ମହିଳାଙ୍କ ଅଧିକାର ଉପରେ ନିରନ୍ତର ପହରା ଲଗା ଯାଉଛି। ନିକଟରେ ପାକିସ୍ତାନର ଏକ ଆଦିବାସୀ ପରିଷଦ ଜିରଗା ମହିଳାମାନଙ୍କୁ ପର୍ଯ୍ୟଟନ ଏବଂ ମନୋରଞ୍ଜନ ପାଇଁ ସର୍ବସାଧାରଣ ସ୍ଥାନ ପରିଦର୍ଶନ କରିବାକୁ ବାରଣ କରିଛି। ପରିଷଦ ଏହାକୁ ଅନୈତିକ ଏବଂ ଇସଲାମିକ ନୀତି ବିରୁଦ୍ଧ ବୋଲି କହିଛି। କେବଳ ଏତିକି ନୁହେଁ ପରିଷଦ ଘୋଷଣା କରିଛି ଯେ ଯଦି ସ୍ଥାନୀୟ ସରକାର ଏହି ନିଷ୍ପତ୍ତି କାର୍ଯ୍ୟକାରୀ ନକରନ୍ତି, ତେବେ ଜିରଗା ସଦସ୍ୟମାନେ ନିଜେ ଏହାକୁ କାର୍ଯ୍ୟକାରୀ କରିବେ। ଡନ ରିପୋର୍ଟ ଅନୁଯାୟୀ, ବାଜୌର ଆଦିବାସୀ ଜିଲାର ରୁଢ଼ିବାଦୀ ସାଲାରଜାଇ ତହସିଲର ଜିରଗା ଆଦିବାସୀ ପରିଷଦ ଏହି ନିର୍ଦ୍ଦେଶ ଦେଇଛନ୍ତି। ପରିଷଦ ଘୋଷଣା କରିଛି ଯେ ସରକାର ଶୀଘ୍ର ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରନ୍ତୁ। ଶାସକ ମିଳିତ ମଞ୍ଚର ଅନ୍ୟତମ ମୁଖ୍ୟ ଜମିୟତ ଉଲେମା-ଇ-ଇସଲାମ-ଫଜଲର ସ୍ଥାନୀୟ ୟୁନିଟ ଦ୍ୱାରା ଏହି ଜିରଗା ଆୟୋଜିତ ହୋଇଥିଲା।
ଏହି ସଭାରେ ସାଲାରଜାଇ ତହସିଲର ବିଭିନ୍ନ ଆଦିବାସୀ ବରିଷ୍ଠ ବ୍ୟକ୍ତିଙ୍କ ବ୍ୟତୀତ ବହୁ ଜମିୟତ ଉଲେମା-ଇ-ଇସଲାମ ଫଜଲ ନେତା ତଥା ଅଞ୍ଚଳର ଧାର୍ମିକ ବ୍ୟକ୍ତି ଯୋଗ ଦେଇଥିଲେ। ଏହାକୁ ଜମିୟତ ଉଲେମା-ଇ-ଇସଲାମ-ଫଜଲ ଜିଲା ନେତୃତ୍ୱ ଦ୍ୱାରା ଆୟୋଜନ କରାଯାଇଥିଲା। ଏହି ସମାବେଶକୁ ସମ୍ବୋଧିତ କରି ଜମିୟତ ଉଲେମା-ଇ-ଇସଲାମ-ଫଜଲର ଜିଲା ମୁଖ୍ୟ ମୌଲାନା ଅବଦୁର ରସିଦ ଏବଂ ଅନ୍ୟ ବକ୍ତାମାନେ କହିଥିଲେ ଯେ ଜିରଗାର ଉଦ୍ଦେଶ୍ୟ ହେଉଛି ଇଦ ସମୟରେ ଉଠାଯାଇଥିବା ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବା ଏବଂ ଶାନ୍ତିପୂର୍ଣ୍ଣ ତଥା ସୌହାର୍ଦ୍ଦପୂର୍ଣ୍ଣ ଭାବରେ ସମାଧାନ କରିବା।
ଜିରଗାରେ ଯୋଗ ଦେଇଥିବା ବକ୍ତାମାନେ କହିଥିଲେ ଯେ ଏହା ଲକ୍ଷ୍ୟ କରାଯାଇଛି ଯେ ପୁରୁଷଙ୍କ ବ୍ୟତୀତ ଅନେକ ସ୍ଥାନୀୟ ମହିଳା, ସେମାନଙ୍କ ସ୍ବାମୀ କିମ୍ବା ଅନ୍ୟ ସମ୍ପର୍କୀୟଙ୍କ ସହିତ କିମ୍ବା ଏକାକୀ ଇଦ ଛୁଟିଦିନରେ ବିଭିନ୍ନ ପର୍ଯ୍ୟଟନ ଏବଂ ପିକନିକ ସ୍ଥାନ ପରିଦର୍ଶନ କରଥାନ୍ତି। ଜିରଗା ଦାବି କରିଛି ଯେ ଏହା ସ୍ଥାନୀୟ ଇସଲାମିକ ରୀତିନୀତି ଏବଂ ପରମ୍ପରା ବିରୁଦ୍ଧ। ଏହା ଦର୍ଶାଯାଇଥିଲା ଯେ ପର୍ଯ୍ୟଟନ ଏବଂ ମନୋରଞ୍ଜନ ପାଇଁ ଉପରୋକ୍ତ ସ୍ଥାନଗୁଡିକୁ ମହିଳାଙ୍କ ପରିଦର୍ଶନ ସମ୍ପୂର୍ଣ୍ଣ ଅନୈତିକ ଏବଂ ଗ୍ରହଣୀୟ ନୁହେଁ’। ଉଭୟ ଇସଲାମ ଏବଂ ସ୍ଥାନୀୟ ପରମ୍ପରାରେ ଏଭଳି କାର୍ଯ୍ୟକଳାପ ଲାଗି କୌଣସି ସ୍ଥାନ ନାହିଁ ବୋଲି ବକ୍ତାମାନେ ଦାବି କରିଥିଲେ। କିଛି ଦିନ ପୂର୍ବରୁ ପ୍ରକାଶିତ ବିଶ୍ୱ ଅର୍ଥନୈତିକ ଫୋରମ ବାର୍ଷିକ ଲିଙ୍ଗଗତ ପାର୍ଥକ୍ୟ ରିପୋର୍ଟରେ ପାକିସ୍ତାନକୁ ଲିଙ୍ଗଗତ ସମାନତା ଦୃଷ୍ଟିରୁ ବିଶ୍ୱର ଦ୍ୱିତୀୟ ଖରାପ ଦେଶ ଭାବେ ସ୍ଥାନିତ କରିଯାଇଥିଲା। ଏହା ପରେ ଜିରଗା ପରିଷଦ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି। ଏହାକୁ ଦେଶର ବହୁ ଲୋକେ ବିରୋଧ କରିଛନ୍ତି।

Share