Categories: ଖେଳ

୨ ବର୍ଷ ବାସନ୍ଦ ହେଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୩୦ା୧୦: ଜମ୍ମୁ-କଶ୍ମୀରର ଯୁବ କ୍ରିକେଟର ବଂଶଜ ଶର୍ମାଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦୁଇ ବର୍ଷ ପାଇଁ ବାସନ୍ଦ କରିଛି। ପୃଥକ ଜନ୍ମ ତାରିଖ ଥିବା ଏକାଧିକ ଜନ୍ମ ପ୍ରମାଣପତ୍ର ସେ ଦାଖଲ କରିଥିବା ଜଣାପଡିଛି।

ବଂଶଜଙ୍କ ଜନ୍ମ ସ୍ଥାନ ଜମ୍ମୁ ଅନ୍ତର୍ଗତ ବିଶନା ଗ୍ରାମରେ। ସେ ବର୍ତ୍ତମାନ ବିହାର ରାଜ୍ୟ ଆସୋସିଏଶନ ଅଧୀନରେ ଖେଳୁଛନ୍ତି। ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏଶନ (ଜେକେସିଏ) ମୁଖ୍ୟ ବ୍ରିଗେଡିୟର ଅନିଲ ଗୁପ୍ତା କହିଛନ୍ତି, ବଂଶଜ ଜମ୍ମୁ-କଶ୍ମୀରର ଖେଳାଳି ନୁହନ୍ତି। ବର୍ତ୍ତମାନ ସେ ବିହାର କ୍ରିକେଟ ଆସୋସିଏଶନ (ବିସିଏ)ର ଖେଳାଳି।

ବଂଶଜ ୧୯ ବର୍ଷରୁ କମ୍‌ ଖେଳାଳି ଭାବେ ୨୦୨୦-୨୧ରେ ତାଙ୍କ ନାମ ପଞ୍ଜୀକୃତ କରିଥିଲେ। ସେ ଆଦୌ ଜମ୍ମୁ ଓ କଶ୍ମୀର ପାଇଁ ଖେଳି ନାହାନ୍ତି। ସେ ପୃଥକ ପୃଥକ ଜନ୍ମ ପ୍ରମାଣପତ୍ର ସହ ୨୩ ବର୍ଷରୁ କମ୍‌ ଖେଳାଳି ଭାବେ ବିହାର କ୍ରିକେଟ ଆସୋସିଏଶନରେ ତାଙ୍କ ନାମ ରେଜିଷ୍ଟ୍ରି କରିଛନ୍ତି। ବିସିସିଆଇ ଦ୍ୱାରା ଧରାପଡ଼ିବା ପରେ ତାଙ୍କୁ ବାସନ୍ଦ କରାଯାଇଛି। ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏଶନ ପକ୍ଷରୁ କୁହାଯାଇଛି, ବଂଶଜଙ୍କୁ ଅକ୍ଟୋବର ୨୭ରୁ ଦୁଇ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଦୁଇବର୍ଷ ବାସନ୍ଦ ପୂରଣ ହେବା ପରେ ସେ କେବଳ ବିସିସିଆଇ ଦ୍ୱାରା ପରିଚାଳିତ ସିନିୟର ପୁରୁଷ ଟୁର୍ନାମେଣ୍ଟରେ ଖେଳି ପାରିବେ।

Share