Categories: ଜାତୀୟ

ତୀଲକ, ହିଜାବ ପାଇଁ ୨ ଛାତ୍ରୀଙ୍କୁ ପିଟିଲେ ଶିକ୍ଷକ

ରାଜୋରି( ଜମ୍ମୁ-କଶ୍ମୀର), ୭।୪: ଜମ୍ମୁ-କଶ୍ମୀରର ରାଜୋରି ଜିଲାରେ ଦୁଇ ଛାତ୍ରୀଙ୍କୁ ମାଡ଼ ମାରିବା ପାଇଁ ଜଣେ ସରକାରୀ ସ୍କୁଲ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ଏଥିସହିତ ଛାତ୍ରୀଙ୍କୁ ମାରିବା ଲାଗି ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେବେ ତୀଲକ ଓ ହିଜାବ ଭଳି ଧାର୍ମିକ ପ୍ରତୀକ ପିନ୍ଧି କ୍ଲାସ ଆସିଥିବାରୁ ଦୁଇ ଛାତ୍ରୀଙ୍କୁ ଶିକ୍ଷକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

୪ର୍ଥ ଶ୍ରେଣୀର ଜଣେ ଛାତ୍ରୀ ମଥାରେ ତୀଲକ ଲଗାଇ ଥିବା ବେଳେ ଅନ୍ୟ ଜଣେ ହିଜାବ ପିନ୍ଧି ଆସିଥିଲେ। ଏଥିଯୋଗୁ ଖଦୁରିଆନ ପଞ୍ଚାୟତ ସ୍କୁଲ ଶିକ୍ଷକ ନିସାର ଅହମ୍ମଦ ମାଡ଼ ମାରିଥିଲେ।

ତେବେ ପୋଲିସ ପକ୍ଷରୁ ଅଭିଯୁକ୍ତ ଶିକ୍ଷକଙ୍କୁ ପଚରାଉଚରା କରାଯାଇଛି। ହେଲେ ଛୁଆଙ୍କୁ ମାଡ଼ ମାରିବା ପଛରେ ଏପର୍ଯ୍ୟନ୍ତ କୌଣସି ସାମ୍ପ୍ରଦାୟିକ ତଥ୍ୟ ସାମ୍ନାକୁ ଆସି ନାହିଁ। ଦୁଇ ଛାତ୍ରୀଙ୍କ ବାପା ମା’ଏକତ୍ରିତ ହୋଇ ଏକ ଭିଡିଓ ରେକର୍ଡ କରିଥିଲେ, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଭିଡିଓ ଆଧାରରେ ରାଜୋରି ଜିଲା ପ୍ରଶାସନ ଶିକ୍ଷକଙ୍କୁ ତୁରନ୍ତ ସସ୍‌ପେଣ୍ଡ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛି।

ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍‌ଙ୍କ ନେତୃତ୍ୱାଧୀନ ତଦନ୍ତକାରୀ ଦଳ ଛୁଆଙ୍କୁ ମାଡ଼ ହୋଇଛି କି ନାହିଁ ଏବଂ ମାରିବାର ପ୍ରକୃତ କାରଣ ଖୋଜିବେ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।

Share