
ନୂଆଦିଲ୍ଲୀ,୪।୪: ଜମ୍ମୁ-କଶ୍ମୀର ଲିବରେସନ ଫ୍ରଣ୍ଟ (JKLF) ମୁଖ୍ୟ ତଥା ଆଜୀବନ କାରାଦଣ୍ଡ ଭୋଗୁଥିବା ୟାସିନ ମଲିକଙ୍କ ମାମଲାର ଶୁଣାଣି ଶୁକ୍ରବାର ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ସେ କହିଥିଲେ ଯେ ସେ ଏକ ରାଜନୈତିକ ଦଳର ନେତା, ଆତଙ୍କବାଦୀ ନୁହଁନ୍ତି। ଓକା ଏବଂ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ସମ୍ମୁଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଲିକ ଏହା କହିଥିଲେ।
ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ତାଙ୍କୁ ଜଣେ ଭୟଙ୍କର ଆତଙ୍କବାଦୀ ବୋଲି କହିବା ଏବଂ ହାଫିଜ ସଇଦଙ୍କ ସହ ତାଙ୍କର ଫଟୋଚିତ୍ର ଉଦ୍ଧୃତ କରିବା ଉପରେ ଜବାବ ଦେଇ ମଲିକ କହିଛନ୍ତି ଯେ ଏହା ତାଙ୍କ ପ୍ରତି ପକ୍ଷପାତ ସୃଷ୍ଟି କରିଛି। ମୋ’ ସଂଗଠନକୁ ଏପର୍ଯ୍ୟନ୍ତ UAPA ଅନୁଯାୟୀ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇ ନାହିଁ। ୧୯୯୪ ମସିହାରେ ଯୁଦ୍ଧବିରତି ଘୋଷଣା ହେବା ପରେ, ମୁଁ ୩୨ଟି ମାମଲାରେ ଜାମିନ ପାଇଛି ଏବଂ କୌଣସି ମାମଲା ଆଗକୁ ବଢ଼ି ନାହିଁ।
ମଲିକ କୋର୍ଟରେ ଏହା ମଧ୍ୟ ଦାବି କରିଥିଲେ ଯେ ଏପର୍ଯ୍ୟନ୍ତ ୭ ଜଣ ପ୍ରଧାନମନ୍ତ୍ରୀ – ନରସିଂହ ରାଓ, ଏଚ୍ଡି ଦେବଗୌଡା, ଇନ୍ଦର କୁମାର ଗୁଜରାଲ, ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂହ ଏବଂ ନରେନ୍ଦ୍ର ମୋଦି (ପ୍ରଥମ କାର୍ଯ୍ୟକାଳରେ) ତାଙ୍କର ଯୁଦ୍ଧବିରତି ପ୍ରସ୍ତାବକୁ ଗମ୍ଭୀରତାର ସହ ନେଇଥିଲେ ଏବଂ ଯୋଗାଯୋଗ କରିଥିଲେ। ବର୍ତ୍ତମାନର କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି ସେ କହିଛନ୍ତି ଯେ ଏବେ ୩୫ ବର୍ଷ ପୁରୁଣା ଆତଙ୍କବାଦ ମାମଲାଗୁଡ଼ିକୁ ପୁଣି ଥରେ ଖୋଲାଯାଉଛି, ଯାହା ଅସ୍ତ୍ରବିରତିର ଭାବନା ବିରୁଦ୍ଧରେ।
ସିବିଆଇର ଆପତ୍ତିର ଜବାବ ଦେଇ ମଲିକ କହିଛନ୍ତି, ମୁଁ କୌଣସି ଆତଙ୍କବାଦୀଙ୍କୁ ସମର୍ଥନ କରେ ନାହିଁ କିମ୍ବା ସେମାନଙ୍କୁ ଆଶ୍ରୟ ଦିଏ ନାହିଁ। ମୋ ବିରୁଦ୍ଧରେ କରାଯାଇଥିବା କୌଣସି ଏଫ୍ଆଇଆର୍ ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ଜଡିତ ନୁହେଁ, ସମସ୍ତ ମାମଲା ରାଜନୈତିକ ପ୍ରତିବାଦ ସହିତ ଜଡିତ। ସୁପ୍ରିମକୋର୍ଟ ବର୍ତ୍ତମାନ ମଲିକଙ୍କୁ ଜମ୍ମୁ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ଅନୁମତି ଦେଇନାହାନ୍ତି ଏବଂ ତିହାର ଜେଲରୁ ହିଁ ଡିଜିଟାଲ ମାଧ୍ୟମରେ ସାକ୍ଷୀମାନଙ୍କୁ ଜେରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କହିରଖୁଛୁ, ଏହି ଶୁଣାଣି ସିବିଆଇ ଦ୍ୱାରା ଜମ୍ମୁ-କଶ୍ମୀରରୁ ଦିଲ୍ଲୀ ସ୍ଥାନାନ୍ତରିତ ଦୁଇଟି ମାମଲା ସମ୍ପର୍କରେ ଥିଲା। ପ୍ରଥମ ମାମଲାଟି ଡିସେମ୍ବର ୧୯୮୯ରେ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ମୁଫତି ମହମ୍ମଦ ସଈଦଙ୍କ ଝିଅ ରୁବାୟା ସଈଦଙ୍କ ଅପହରଣ ସହିତ ଜଡିତ। ଦ୍ୱିତୀୟଟି ଜାନୁଆରୀ ୧୯୯୦ରେ ଶ୍ରୀନଗରରେ ୪ ଜଣ ବାୟୁସେନା କର୍ମଚାରୀଙ୍କ ହତ୍ୟା ସହିତ ଜଡିତ। ଅପହରଣ ମାମଲାରେ ସାକ୍ଷୀମାନଙ୍କୁ ଜେରା କରିବା ପାଇଁ ମଲିକଙ୍କୁ କୋର୍ଟରେ ହାଜର ହେବାକୁ ଅନୁମତି ଦେବା ପାଇଁ ଜମ୍ମୁ କୋର୍ଟର ନିର୍ଦ୍ଦେଶକୁ ମଧ୍ୟ ସିବିଆଇ ଚ୍ୟାଲେଞ୍ଜ କରିଛି।