Categories: ଜାତୀୟ

ଝାଡ଼ଖଣ୍ଡରେ ଭାଜପାକୁ ଲାଗିପାରେ ଝଟ୍‌କା: ୧୬ ବିଧାୟକ ଜେଏମ୍‌ଏମ୍‌ର ସମ୍ପର୍କରେ

ରାଞ୍ଚି,୨୫।୭: ଝାଡ଼ଖଣ୍ଡରେ କ୍ଷମତାସୀନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ପକ୍ଷରୁ ଏକ ବଡ ଦାବି କରାଯାଇଛି। ସୋମବାର ଜେଏମ୍‌ଏମ୍‌ ମହାସଚିବ ସୁପ୍ରିୟ ଭଟ୍ଟାଚାର୍ଯ୍ୟଙ୍କ ଅନୁଯାୟୀ, ଭାଜପାର ୧୬ଜଣ ବିଧାୟକ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନେ ହେମନ୍ତ ସୋରେନ ସରକାରଙ୍କୁ ସମର୍ଥନ କରିପାରନ୍ତି। ସୁପ୍ରିୟ ଭଟ୍ଟାଚାର୍ଯ୍ୟଙ୍କ ଏହି ବୟାନ ଏବେ ଝାଡ଼ଖଣ୍ଡ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ସୁପ୍ରିୟ ଭଟ୍ଟାଚାର୍ଯ୍ୟ ଦାବି କରିଛନ୍ତି ଯେ, ଏହି ୧୬ଜଣ ଭାଜପା ବିଧାୟକ ଭାଜପା ଦଳରେ ଶ୍ୱାସରୁଦ୍ଧ ଅନୁଭବ କରୁଛନ୍ତି, ତେଣୁ ସେମାନେ ଜେଏମ୍‌ଏମ୍‌କୁ ସମର୍ଥନ କରିବାକୁ ଚାହୁଁଛନ୍ତି। ସୁପ୍ରିୟଙ୍କ ଅନୁଯାୟୀ, ଏହି ବିଧାୟକମାନେ ଏକ ପୃଥକ ଦଳ ଗଠନ କରି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସରକାରଙ୍କୁ ସମର୍ଥନ କରିପାରନ୍ତି। ଜେଏମ୍‌ଏମ୍‌ ଏହି ପ୍ରସ୍ତାବ ଉପରେ ସେତେବେଳେ ବିଚାର କରିବ ଯେତେବେଳେ ତାଙ୍କୁ ଏକ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ପଠାଯିବ। ଅନ୍ୟପଟେ ଭାଜପା ଜେଏମ୍‌ଏମ୍‌ଙ୍କ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ଦଳର ମୁଖପାତ୍ର ପ୍ରତୁଲ ଶାହଦେବ କହିଛନ୍ତି ଯେ, ଜେଏମ୍‌ଏମ୍‌ ବିଧାୟକମାନେ ନିଜେ ଦୁର୍ନୀତିରେ ବୁଡ଼ି ରହିଥିବା ବେଳେ ସୋରେନଙ୍କ ଦଳ ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ କରୁଛି।

Share